ଆସିକାରେ ପ୍ରକାଶ ପାଇଲା ଚୂଡାନ୍ତ ଭୋଟର୍‍ ତାଲିକା

ଆସିକା  (ୱାଇଏନ୍‍ଏସ୍‍) : ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) ୨୦୨୬ ପ୍ରକ୍ରିୟା ଅଧିନସ୍ଥ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସମୂଦାୟ ୨୭୨ଟି ବୁଥ୍‍ରେ ମଙ୍ଗଳବାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥିବା ଜଣାପଡିଛି । ଭାରତର ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ପ୍ରାୟ ସାଢେ ୩ ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ-୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଚୂଡାନ୍ତ ଭୋଟର ତାଲିକାକୁ ପ୍ରଶାସନକୁ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୭୨ଟି ବୁଥ୍‍ରେ ପ୍ରକାଶିତ ହୋଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ତାଲିକାରେ ୧ ଲକ୍ଷ ୮୯ ହଜାର ୩୦୧ ଜଣ ଭୋଟର ସ୍ଥାନ ପାଇଥିବା ଜଣାପଡିଛି । ଯେଉଁମାନେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ ସେମାନଙ୍କ ନାମ ଚୁଡାନ୍ତ ଭୋଟର ତାଲିକାରେ ଥିବା ଜଣାପଡିଛି । ଦାବୀ ଓ ଆପତ୍ତିର ସମସ୍ତ ଫଇସଲା ଶେଷ ହେବା ପରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନଙ୍କ ପରାମର୍ଶକ୍ରମେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଇଆର୍‍ଓ ତଥା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ, ଅତିରିକ୍ତ ଭୋଟର ପଞ୍ଚିକରଣ ଅଧିକାରୀ ତଥା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅତିରିକ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଏବିଡିଓ ସୁଶାନ୍ତ କୁମାର ବେହେରା, ବିଏଲ୍‍ଓ ସୁପରଭାଇଜର ରାମନାଥ ପଟ୍ଟନାୟକ, ଶିବଶଙ୍କର ଜେନା, ସତ୍ୟନାରାୟଣ ସେଠୀ, ସିମାଞ୍ଚଳ ସେଠୀ, ନିରଞ୍ଜନ ପରିଡା, ଧୋବା ବେହେରା, ବଂଶୀଧର ପରିଡା, ବିଦ୍ୟାଧର ସାହୁ, ଶୁଭେନ୍ଦୁ ଶେଖର ଜେନା, ଅମୀୟସିନ୍ଧୁ ମୁନି, ଜଗନ୍ନାଥ ଦାଶଙ୍କ ସମେତ ଗଣତନ୍ତ୍ରର ଏହି ମହତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛତା ତଥା ସଫଳତାର ସହ ସଂପାଦନ କରିବା ଦିଗରେ ନିୟୋଜିତ ଥିବା ସମସ୍ତ ବୁଥ୍‍ସ୍ତରୀୟ ଅଧିକାରୀ ଓ ବୁଥ୍‍ସ୍ତରୀୟ ଏଜେଣ୍ଟମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ସଫଳ ହୋଇପାରିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‍ ବିଭାଜନ ପ୍ରକ୍ରିୟା ପରେ ୫୮ଟି ନୂତନ ବୁଥ୍‍ ଗଠିତ ହୋଇଥିବା ଜଣାପଡିଛି । ଆସିକା ବିଧାନସଭା କ୍ଷେତ୍ରରେ ପୂର୍ବରୁ ୨୧୪ଟି ବୁଥ୍‍ ଥିବା ବେଳେ ଏବେ ତାହା ବଢି ୨୭୨ ହୋଇଛି । ଆସିକା ବିଧାନସଭା ନିର୍ବଚନ ମଣ୍ଡଳୀ ଅଧିନସ୍ଥ ଆସିକା ବ୍ଳକର ୨୭ଟି ପଞ୍ଚାୟତ ଏବଂ ପୌର ପରିଷଦର ୧୮ଟି ୱାର୍ଡରେ ପୂର୍ବରୁ ୧୫୩ଟି ବୁଥ୍‍ ଥିବା ବେଳେ ଗତ କିଛି ଦିନ ତଳେ ଆଉ ୪୨ଟି ବୁଥ୍‍କୁ ବୃଦ୍ଧି କରାଯାଇ ସମୂଦାୟ ୧୯୫ଟି ବୁଥ୍‍ ଗଠନ କରାଯାଇଛି ଓ କବିସୂର୍ଯ୍ୟନଗର ବ୍ଳକର ୧୨ଟି ପଞ୍ଚାୟତରେ ପୂର୍ବରୁ ୬୧ଟି ବୁଥ୍‍ ଥିବା ବେଳେ ତାହାକୁ ୧୬ଟି ବୁଥ୍‍କୁ ବୃଦ୍ଧି କରାଯାଇ ସମୂଦାୟ ୭୭ଟି ବୁଥ୍‍ ଗଠନ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ