ଗରିବର ଶୋଷ ମେଣ୍ଟାଉଛନ୍ତି ମଟ୍କା ମ୍ୟାନ
ଦିିଲ୍ଲୀର ୬୯ ବର୍ଷୀୟ ଅଲଗ୍ ନଟରାଜନ୍ ଓରଫ୍ ମଟ୍କା ମ୍ୟାନ୍ ଗରିବଙ୍କ ଶୋଷ ମେଣ୍ଟାଇବାର ନେଇଛନ୍ତି ଗୁରୁ ଦାୟିତ୍ୱ । ଅସହ୍ୟ ଗରମରେ ଦିଲ୍ଲୀ ସହରବାସୀ ପାଣି ଟୋପାଏ ପାଇଁ ଛଟପଟ ହେଉଥିବାବେଳେ ନଟରାଜନ୍ଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇପାରିଛି । କ୍ୟାନସର୍ ରୋଗକୁ ଜିତିଆସିଥିବା ନଟରାଜନ୍ ଅନେକ ସମୟରେ ଦେଖିବାକୁ ପାଉଥିଲେ, ସହରର ଧନୀକ ଶ୍ରେଣୀ ବା ପଇସାବାଲା ଲୋକମାନେ ନିଜ ତୃଷା ମେଣ୍ଟାଇବାକୁ ବୋତଲ ପାଣି କିଣିନେଉଥିବାବେଳେ ଗରିବ ଖଟିକିଆମାନେ ପାଣି ପାଇଁ ଅନେକ କଷ୍ଟ ସହୁଛନ୍ତି । ଏହା ଦେଖି ସେ ନିଜକୁ ରୋକିପାରିଲେନି । ରିକ୍ସାଚାଳକ, ଜରିଗୋଟାଳିଠୁ ନେଇ ଭିକ୍ଷୁକମାନେ ଏଭଳି ପାକେଜ୍ ପାଣି ବା ବୋତଲ କିଣିବାକୁ ଅକ୍ଷମ ଥିଲେ । ତେଣୁ ସେ ଆରମ୍ଭ କଲେ ଜଳଦାନ ଅଭିଯାନ । ପ୍ରତିଦିନ ୨ ହଜାର ଲିଟର ପାଣି ମାଠିଆରେ ଭର୍ତ୍ତି କରି ସେ ଗରିବଙ୍କ ଶୋଷ ମେଣ୍ଟାଇଲେ । ନଟରାଜନ୍ଙ୍କ ମତରେ, ଏପରି ନୁହେଁ ଯେ ପାଣି କେବଳ ଗରିବ ଲୋକଙ୍କ ପାଇଁ ହିଁ ରଖାଯାଇଛି ବରଂ ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ । କଥା କେବଳ ଏତିକି ଯେଉଁମାନଙ୍କର ଅର୍ଥବଳ ଅଛି, ସେମାନେ ପାଣି କିଣି ପିଇପାରୁଥିବାବେଳେ ଆଉ କିଛି ପଇସା ଖର୍ଚ୍ଚ କରି ତୃଷା ମେଣ୍ଟାଇବା ପୂର୍ବରୁ ନିଜ ପରିବାରର ପେଟ କଥା ଭାବିନିଅନ୍ତି । ତେଣୁ ସେଭଳି ଲୋକଙ୍କ ପାଇଁ ଏବେ ନଟରାଜନ୍ ଈଶ୍ୱରଙ୍କ ଦୂତ ପାଲଟିଛନ୍ତି ।