ସ୍ୱଦେଶ ପ୍ରତ୍ୟାବର୍ତ୍ତନ ୩୧ଟି ବିମାନରେ ୬୦୩୭ ଭାରତୀୟ

ନୂଆଦିଲ୍ଲୀ : ମେ ୭, ୨୦୨୦ ତାରିଖଠାରୁ ପାଞ୍ଚ ଦିନ ମଧ୍ୟରେ ୩୧ଟି ବିମାନରେ ୬୦୩୭ ଜଣ ଭାରତୀୟଙ୍କୁ ବିଦେଶରୁ ଭାରତ ଅଣାଯାଇଛି । ବନ୍ଦେ ଭାରତ ଅଭିଯାନରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଫସି ରହିଥିବା ଭାରତୀୟମାନଙ୍କୁ ଏବେ ଲେଉଟାଇ ଅଣାଯିବାର ବ୍ୟବସ୍ଥା କରାଯାଇଛି । କୋଭିଡ଼-୧୯ ମହାମାରୀ ପରିପ୍ରେକ୍ଷୀରେ ଏବେ ବିଭିନ୍ନ ରାଷ୍ଟ୍ରରେ ହଜାର ହଜାର ଭାରତୀୟ ଅଟକି ରହିଛନ୍ତି । ସେମାନଙ୍କୁ ଭାରତକୁ ଫେରାଇ ଆଣିବା ସକାଶେ ଭାରତ ସରକାରଙ୍କ ତରଫରୁ ବନ୍ଦେ ଭାରତ ଅଭିଯାନ ଆରମ୍ଭ କରାଯାଇଛି । ଭାରତୀୟ ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ନିମନ୍ତେ ଏହା ଏକ ବୃହତ କାର‌୍ୟ୍ୟକ୍ରମ । ମେ ୭ ତାରିଖ ଦିନ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସମନ୍ୱୟରେ କାର‌୍ୟ୍ୟକାରୀ ହେଉଥିବା ଏହି କାର‌୍ୟ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନେ ସହଯୋଗ କରୁଛନ୍ତି । ଏୟାର ଇଣ୍ଡିଆ ଏବଂ ଏହାର ସହଯୋଗୀ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ୬୪ଟି ବିମାନ (୪୨ଟି ଏୟାର ଇଣ୍ଡିଆ ବିମାନ ଏବଂ ୨୪ଟି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ) ଯୋଗେ ଆମେରିକା, ବ୍ରିଟେନ୍, ବାଂଲାଦେଶ, ସିଂଗାପୁର, ସାଉଦି ଆରବ, କୁଏତ, ଫିଲିପାଇନ୍ସ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ମାଲେସିଆ ଆଦି ୧୨ଟି ରାଷ୍ଟ୍ରରୁ ପ୍ରଥମ ପର‌୍ୟ୍ୟାୟରେ ମୋଟ ୧୪,୮୦୦ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଅଣାଯାଉଛି । ଏହି ଅଭିଯାନର ପ୍ରତ୍ୟେକଟି ବିମାନ ଯାତ୍ରା ମାଧ୍ୟମରେ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କୋଭିଡ଼-୧୯ ମହାମାରୀ ସଂକ୍ରାନ୍ତ ନିରାପତ୍ତା ତଥା ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାତ୍ରୀ, ବିମାନ କର୍ମଚାରୀ ତଥା ଗ୍ରାଉଣ୍ଡ ହାଣ୍ଡଲିଂ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ଦିଗରେ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣକୁ ହାତ ଛଡ଼ା କରାଯାଉନାହିଁ । ଏହି ସ୍ପର୍ଶକାତର ଯାତ୍ରୀ ଅପସାରଣ ଅଭିଯାନରେ ସବୁପ୍ରକାର ମେଡ଼ିକାଲ ସତର୍କତା ଅବଲମ୍ବନ କରାଯାଇଛି । ତେଣୁ ସରକାରୀ ନିୟମାବଳୀ ଅନୁସାରେ ସକଳ ପ୍ରକାର ନିରପତ୍ତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ