ଲକଡାଉନ ପ୍ରଭାବ: ଖାଇବା କମାଇଲେଣି ଲୋକେ

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକଡାଉନ ପ୍ରଭାବରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ନିଜର ଖାଇବା କମାଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ଦେଶରେ ୧୨ଟି ରାଜ୍ୟର ୪୭ଟି ଜିଲ୍ଲାରେ ବାସ କରୁଥିବା ୫୦୦୦ ରୁ ଅଧିକ ଗ୍ରାମୀଣ ପରିବାରକୁ ନେଇ ଏହି ସର୍ଭେ କରାଯାଇଛି । ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ, ଲକଡାଉନ ଘୋଷଣା ହେବା ପରେ ପରିବାରଗୁଡ଼ିକରେ ଖାଇବା ସାମଗ୍ରୀ ହ୍ରାସ ପାଇଛି । ସେମାନେ ପୂର୍ବାପେକ୍ଷା କମ ଭୋଜନ କରୁଛନ୍ତି । ପ୍ରାୟ ୬୮ପ୍ରତିଶତ ପରିବାର ନିଜ ଖାଇବା ଥାଳିରେ ଖାଦ୍ୟ ପରିମାଣ କମ କରିଛନ୍ତି । ପୂର୍ବରୁ ଯେତିକି ପ୍ରକାର ଖାଦ୍ୟ ଖାଉଥିଲେ ତାହା ମଧ୍ୟ ହ୍ରାସ ପାଇଛି । ଦେଶରେ ପ୍ରଥମ ପର୍ଯ୍ୟାୟ ଲକଡାଉନ ଗତ ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ଏପି୍ରଲ ୧୪ ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ତାହାକୁ ବିଭିନ୍ନ ପର୍ଯ୍ୟାୟରେ ମେ’୩ ଓ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହି ସର୍ଭେରୁ ଜଣାପଡ଼ିଛି ଯେ ପ୍ରାୟ ୮୪ ପ୍ରତିଶତ କରିବାରଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ମିଳିଛି । ୩୭ ପ୍ରତିଶତ ପରିବାର ଘରକୁ ରାସନ ସାମଗ୍ରୀ ନେଇଛନ୍ତି । ପ୍ରାୟ ୧୨ ପ୍ରତିଶତ ଗ୍ରାମୀଣ ଲୋକଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ମିଳିଥିବା ବେଳେ ୨୪ ପ୍ରତିଶତ ପରିବାର ଧାର ସୂତ୍ରରେ ଖାଦ୍ୟଶସ୍ୟ ଆଣିଛନ୍ତି । ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ରବି ଫସଲ ତୁଳନାରେ ଖରିଫ ଫସଲ ଉପରେ ଅଧିକ ନିର୍ଭରଶୀଳ । କିନ୍ତୁ ସେମାନଙ୍କ ଭଣ୍ଡାରରୁ ଖାଦ୍ୟ ସାମଗ୍ରୀ ଦ୍ରୁତ ଗତିରେ ଶେଷ ହୋଇଛି । ତେଣୁ ଲୋକମାନେ ଜାଣିଶୁଣି ଖାଇବା କମାଇ ଦେଇଛନ୍ତି । ଏହି ସର୍ଭେକୁ ଓଡ଼ିଶା ସମେତ ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ କରାଯାଇଥିଲା । ଏଥିରେ ଭାଗ ନେଇଥିବା ଏକ ତୃତୀୟାଂଶ ପରିବାରର ଉତ୍ତର ଥିଲା ଯେ ସ୍କୁଲରୁ ପିଲାମାନଙ୍କ ପାଠପଢ଼ା ବନ୍ଦ କରିବା ଉପରେ ସେମାନେ ବି ବିଚାର କରୁଛନ୍ତି । ଦେଶରେ କରୋନା ସଂକଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକଡାଉନ ସେମାନଙ୍କ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଦୁଗ୍ଧ ଓ ମତ୍ସ୍ୟଚାଷୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ