ଜୁଏଲାରି ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ
ଗୁଣପୁର,(ୱାଇଏନଏସ): ଗୁଡାରି ସହରରେ ଥିବା ଜୁଏଲାରି ଦୋକାନ ଗୁଡିକରେ ବଡ଼ ଧରଣର ଲୁଟ ଯୋଜନା ପଣ୍ଡ ହୋଇଛି। ଗୁଡାରି ପୁରଣା ବ୍ୟାଙ୍କ ସାହିରେ ଥିବା ଏସ ଜଗଦୀଶ ବାବୁଙ୍କ ଶ୍ରୀ ଜଗନ୍ନାଥ ଜୁଏଲାରୀ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ୫ଜଣ ଦୁର୍ବୃତ୍ତଙ୍କ ଦ୍ଵାରା ଜୁଏଲରି ଦୋକାନ ଲୁଟ କରିବା ଯୋଜନା ପଣ୍ଡ ହୋଇଛି। ଚୋର ମାନେ ସୁନା ଅଳଙ୍କାର ଦୋକାନ ନିକଟକୁ ଆସି ସିସି କ୍ୟାମେରାକୁ ପ୍ରଥମେ ପ୍ଲାଷ୍ଟର ଦ୍ୱାରା ଘୋଡାଇ ଦେଇ ଗେଟ ଭାଙ୍ଗିଥିଲେ । ସେହିପରି ମେନ ରୋଡରେ ଥିବା ଆଉ ଏକ ଲକ୍ଷ୍ମୀ ନାରାୟଣ ଜୁଏଲାରୀରେ ଲାଗିଥିବା ସିସି କ୍ୟାମେରାକୁ ମଧ୍ୟ ପ୍ଳାଷ୍ଟର ଗୁଡେଇ ଦେଇଥିଲେ l ସେହି ସମୟରେ ନିକଟରେ ଥିବା ଲକ୍ଷ୍ମୀ ନାରାୟଣ ଜୁଏଲାରୀ ମାଲିକ ପି ଚିନି ନିଜ ମୋବାଇଲରେ ତାଙ୍କ ଦୋକାନର ସିସି କ୍ୟାମେରାରେ କିଛି ଦେଖା ନ ଯିବାରୁ ଛାନିଆ ହୋଇ ନିଜ ସୁନା ଦୋକାନକୁ ଦେଖିବାକୁ ଯିବା ସମୟରେ ଦୁର୍ବୃତ୍ତ ମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l ମୁଣ୍ଡରେ ଗଭୀର ଆଘାତ ହେବାରୁ ସେ ଅଚେତ ହୋଇ ପଡ଼ିଯାଇଥିଲେ l ସେହି ସମୟରେ ଦୁର୍ବୃତ୍ତ ମାନେ ଆଉ ଚୋରି କରିବାକୁ ସାହସ କରି ନପାରି ସେଠାରୁ ଚମ୍ପଟ ମାରିଥିଲେ । ଦୁର୍ବୃତ୍ତ ଘଟଣାସ୍ଥଳରୁ ଚାଲି ଯିବା ପରେ ଲକ୍ଷ୍ମୀ ନାରାୟଣ ଜୁଏଲାରୀ ମାଲିକ ଚିନି ଗୁରୁତର ଆହତ ଅବସ୍ଥାରେ ନିଜ ଘରକୁ ପହଞ୍ଚିଥିଲେ । ଘର ଲୋକେ ଉଠି ଦେଖିଲା ବେଳକୁ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି l ସଙ୍ଗେ ସଙ୍ଗେ ତାଙ୍କୁ ବିଶାଖାପାଟଣା ଏକ ଘରୋଇ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କର ଅବସ୍ଥା ଭଲ ଥିବା କୁହାଯାଇଛି। ଆଜି ସକାଳେ ଖବର ପାଇ ଗୁଡାରି ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ ଏବଂ ଏଏସଆଇ ରୁଦ୍ରପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ସାହିରେ ଥିବା ସିସି କ୍ୟାମେରା ଏବଂ ଟାର୍ଗେଟରେ ଥିବା ଜୁଏଲାରୀର ସିସି କ୍ୟାମେରା ଯାଞ୍ଚ କରିଥିଲେ l ସିସି କ୍ୟାମେରା ଫୁଟେଜରେ ଦୁର୍ବୃତ୍ତ ମୁଁହ ଘୋଡାଇ ହାତରେ ଗ୍ଲୋବ ପିନ୍ଧି ଥିବା ହେତୁ ମୁଁହକୁ ସଠିକ ଚିହ୍ନିବା କଷ୍ଟକର ହୋଇ ପଡିଛି। ଏହି ଘଟଣା ଗୁଡାରି ସହରରେ ଆତଙ୍କ ଖେଳାଇ ଦେଇଛି। ଅପର ପକ୍ଷରେ ଗୁଡାରୀ ପୋୖର କତ୍ତୃପକ୍ଷ ତୁରନ୍ତ ସହରରେ ହାଇ ପାୱାର ସିସି କ୍ୟାମେରା ସୁବିଧା କରିବା ସହ ପୁଲିସ ପେଟ୍ରୋଲିଂକୁ ରାତି ସାରା କଢ଼ା କଢି କରିବାକୁ ସାଧାରଣରେ ଦାବି ହୋଇଛି।


