ନୂଆ ନିର୍ଦେଶାବଳୀ ସହ ହେବ ଟିଭି ସିରିଏଲ ଶୁଟିଂ
ଧାରାବାହିକ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଖୁବଶୀଘ୍ର ସେମାନେ ନିଜ ପସନ୍ଦର ଧାରାବାହିକ ଗୁଡ଼ିକର ନୂଆ ଏପିସୋଡ୍ ଦେଖିବାକୁ ପାଇବେ। ଜୁନ୍ ଶେଷ ସୁଦ୍ଧା ଏହାର ଶୁଟିଂ ଆରମ୍ଭ ହୋଇଯିବ, ତାହା ବି ନୂଆ ଗାଇଡଲାଇନ ସହିତ। ଏକତା କପୁରଙ୍କ ସିରିଅଲ୍ ‘ଭାଭୀଜୀ ଘର ପର ହୈ’, ସୋନୀ ଟିଭିର ରିଅଲିଟି ଶୋ ‘କୌନ ବନେଗା କରୋଡପତି’ ଖୁବଶୀଘ୍ର ଲିମିଟେଡ୍ କ୍ରୁ ସହିତ ନିଜ ଶୁଟିଂ ଆରମ୍ଭ କରିବେ। ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ (ଏଫଡବ୍ଲୁଆଇସିଇ)ର ପ୍ରେସିଡେଣ୍ଟ ବିଏନ୍ ତିୱାରୀ କହିଛନ୍ତି ଯେ ଦୈନିକ କର୍ମଚାରୀଙ୍କୁ ଦ୍ଷ୍ଟିରେ ରଖି ପ୍ରଯୋଜକଙ୍କ ଆଗରେ କେତେକ ଗାଇଡଲାଇନ ରଖାଯାଇଛି।
ଏହି ଗାଇଡଲାଇନ ଅନୁସାରେ ଏବେ କୋଭିଡ୍-୧୯ ସହିତ ବଞ୍ଚିବାର ଅଭ୍ୟାସ ଆରମ୍ଭ କରି ଦିଆଯାଇଛି। ଏହି ଭାଇରସ ଦୀର୍ଘଦିନ ଧରି ଆମ ସାଙ୍ଗରେ ରହିବାକୁ ଯାଉଛି। ଯେ ପର୍ଯ୍ୟନ୍ତ ଏହାର ଟିକା ନ ବାହାରିଛି, ଭାଇରସ ସହିତ ବଞ୍ଚିବା ଶିଖିବାକୁ ପଡ଼ିବ। ଅପରପକ୍ଷେ କାମ ମଧ୍ୟ ଆରମ୍ଭ କରିବାକୁ ପଡ଼ିବ। କାରଣ କାମ ନ କଲେ ଖାଇବା ବି ମିଳିବ ନାହିଁ। ଏଥିପାଇଁ ଏଫଡବ୍ଲୁଆଇସିଇ ସମସ୍ତଙ୍କୁ ତାଲିମ ଦେବା ଆରମ୍ଭ କରିଛି। ମାସ୍କ କିପରି ପିନ୍ଧିବେ, ସାନିଟାଇଜର କିପରି ବ୍ୟବହାର କରିବେ ଏସବୁ ତାଲିମ ଦିଆଯାଉଛି। ଶୁଟିଂ ସେଟରେ ଜଣେ ଇନ୍ସପେକ୍ଟର ରହିବେ, ଯିଏ ଇନ୍ସପେକ୍ସନ କରିବେ ଯେ ପର୍ଯ୍ୟନ୍ତ ୱାର୍କର ନିଜେ ଏସବୁ କରିବା ଅଭ୍ୟାସ କରି ନାହାନ୍ତି, ସେ ପର୍ଯ୍ୟନ୍ତ ସେଟରେ ଇନସ୍ପେକ୍ଟର ରହିବେ ବୋଲି ବିଏନ୍ ତିୱାରୀ କହିଛନ୍ତି।
ସେହିପରି କୋଭିଡ୍-୧୯ରେ ଯଦି କେଣସି ୱାର୍କରଙ୍କ ମୃତ୍ୟୁ ଘଟେ, ତେବେ ଚାନେଲ ପ୍ରଡ୍ୟୁସର ଉକ୍ତ ୱାର୍କରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ଓ ତାଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବେ। ଯାହାଫଳରେ ୱାର୍କରମାନେ ନିଶ୍ଚିତ ରହିବେ ଯେ ଯଦି ତାଙ୍କର କିଛି ହୋଇଯାଉଛି, ତେବେ ତାଙ୍କ ପରିବାରର ଯତ୍ନ ନେବାକୁ ପ୍ରଯୋଜକ ଅଛନ୍ତି। ଏହି ବିଶ୍ବାସରେ ସେ କାମ କରିବାକୁ ଆସିବେ। ଏଥିସହିତ ଶୁଟିଂ ସେଟରେ ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରିବାକୁ ପଡ଼ିବ। ବାକି ୫୦ ପ୍ରତିଶତ କର୍ମଚାରୀ ଶିଫ୍ଟ ଅନୁସାରେ କାମ କରିବାକୁ ପ୍ରଯୋଜକ ନିଶ୍ଚିତ କରାଇବେ। କେବଳ ୩ ମାସ ପାଇଁ ୫୦ ବର୍ଷ ବୟସରୁ ଊର୍ଦ୍ଧ୍ବ ବୟସର କର୍ମଚାରୀ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। କାରଣ ସେମାନଙ୍କୁ କୋଭିଡ୍-୧୯ର ଅଧିକ ବିପଦ ରହିଛି ଏମରଜେନ୍ସି ପାଇଁ ସେଟରେ ସବୁବେଳେ ଏକ ଆମ୍ବୁଲାନ୍ସ ରହିବ। ଶୁଟିଂ ଆରମ୍ଭ କରିବା ନେଇ ନୂଆ ଗାଇଡଲାଇନ ସମ୍ପର୍କରେ ପ୍ରଯୋଜକ, ଚାନେଲ ଓ ସମସ୍ତଙ୍କ ସହ ଭର୍ଚୁଆଲ ମିଟିଂ ହେବ ବୋଲି ବିଏନ୍ ତିୱାରୀ କହିଛନ୍ତି।


