ଖୋଲିଲା ବାପୁଜୀ ନଗର ମାର୍କେଟ
ଭୁବନେଶ୍ୱର: ରାଜଧାନୀସ୍ଥ ବାପୁଜୀ ନଗର ମାର୍କେଟକୁ ପୁଣି ଥରେ ଖୋଲିବାକୁ ଅନୁମତି ଦିଆଯାଇଛି । ସ୍ୱତନ୍ତ୍ର ଏସଓପି ସହ ଦୋକାନ ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ଦୋକାନ ଭିତରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ ବାହାରେ ବିକ୍ରି ସାମଗ୍ରୀ ପ୍ରଦର୍ଶନ ନକରିବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୭ରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଦୋକାନ ଖୋଲିବ । ଦୋକାନ କର୍ମଚାରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକାଶ ଯେ, ଗତ କିଛି ଦିନ ତଳେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାପୁଜୀ ନଗର ମାର୍କେଟକୁ ସିଲ କରିଦିଆଯାଇଥିଲା । ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନକୁ ବନ୍ଦ କରିଦିଆଯାଇଥିଲା । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବାପୁଜୀ ନଗର ମାର୍କେଟକୁ ସିଲ କରାଯାଇଥିବା ବିଏମସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୩.୦ ଲକଡାଉନ ଘୋଷଣା ପରେ ଦୋକାନ ବଜାର ଖୋଲିବା ଉପରେ ଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜଧାନୀସ୍ଥ ବାପୁଜୀ ନଗର ମାର୍କେଟରେ ଥିବା କିଛି ଦୋକାନ ଖୋଲିଥିଲା । ତେବେ ସେଠାରେ ସାମାଜିକ ଦୂରତ୍ୱକୁ ଫୁ କରିଦିଆଯାଇଥିଲା । ଫଳରେ ବାପୁଜୀ ନଗର ମାର୍କେଟକୁ ସିଲ କରିଦିଆଯାଇଥିଲା ।