ଜିଲ୍ଲା ଗଲେ ଏନଡିଆରଏଫ୍ ଟିମ୍
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଏନଡିଆରଏଫର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଭାବିତ ସମ୍ଭାବନା ଥିବା ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଯଥା ବାଲେଶ୍ୱର, କେନ୍ଦ୍ରାପଡ଼ା , ଭଦ୍ରକ ଓ ଜଗତସିଂହପୁର ପାଇଁ ୪ଟି ଟିମ ପ୍ରସ୍ତୁତ ହୋଇଥିବା ଜଣାଯାଇଛି । କଟକର ମୁଣ୍ଡଳିସ୍ଥିତ ବାଟାଲିୟନରୁ ୩ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରକୁ ୩ଟି ଟିମ ଯାଇଥିବା ଜଣାଯାଇଛି । ପୂର୍ବରୁ ବାଲେଶ୍ୱର ଆରଆରସିରେ ଗୋଟିଏ ଟିମ ମୁତୟନ ଅଛି । ଏନଡିଆରଏଫର ପ୍ରତି ଟିମରେ ୨୧ ଜଣ ଲେଖାଏଁ ସଦସ୍ୟ ଅଛନ୍ତି । ପ୍ରଥମ ଥର ଲାଗି ପିପିଇ କିଟ୍ ସହ ଏନଡିଆରଏଫ ଟିମ ଯାଇଛନ୍ତି ।
ପ୍ରକାଶ ଯେ, ସମ୍ଭାବ୍ୟ ବାତ୍ୟା ‘ଆମ୍ଫନ’ ଗତ ବର୍ଷ ତାଣ୍ଡବ ରଚିଥିବା ‘ଫୋନି’ ଠାରୁ ସାନ । ମାତ୍ର ବାତ୍ୟା ‘ବୁଲବୁଲ’ ଠାରୁ ବଡ଼ ଧରଣର ବୋଲି ଆଶା କରାଯାଉଛି । ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସୂଚନା ଦେବା ଅବସରରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହା କହିଛନ୍ତି ।
ଆସନ୍ତା ୨୦ ତାରିଖ ସକାଳ ସୁଦ୍ଧା ବାତ୍ୟା ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ । ୧୮ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ । ୧୯ରୁ ବର୍ଷ ପବନ ବଢିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୯ ତାରିଖ ସକାଳେ ୪୫ରୁ ୫୫ କିମି ବେଗରେ ପବନ ବୋହିବ । ୧୯ ତାରିଖ ସନ୍ଧ୍ୟାରୁ ୨୦ ଯାଏଁ ୭୫ରୁ ୮୫ କିମି ବେଗରେ ପବନ ବୋହିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୦-୧୬୦ ଛୁଇଁପାରେ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଆଉ ଟିକେ ପାଖକୁ ଆସିଲେ ପ୍ରକୃତ କେଉଁଠି ଛୁଇଁବ ସେ ସମ୍ପର୍କରେ କହିହେବ । ବାତ୍ୟାର ପରିଧି ଅତିକମରେ ୫୦୦ କିମି ପରିବ୍ୟାପ୍ତ ହୋଇଥାଏ । ଏମିତିକି ବାତ୍ୟାର କୋର ଅଞ୍ଚଳଟି ୧୦୦ କିମି ପରିବ୍ୟାପ୍ତ ହୋଇଥାଏ । ସେହେତୁ ଉତ୍ତର ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ପ୍ରଭାବିତ ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏହା ଦ୍ୱାରା ପ୍ରଭାବିତ ହେବ । ଯାହା ଆକଳନ କରାଯାଉଛି ଏ ବାତ୍ୟା ଫୋନି ଠାରୁ କମ ତୀବ୍ର । ‘ଫୋନି’ ଠାରୁ ସାନ ମାତ୍ର ‘ବୁଲବୁଲ’ ଠାରୁ ବଡ଼ ଧରଣଣ ବୋଲି ଆଶା କରାଯାଉଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି


