ଆଜି ବିଶ୍ୱ ହାତଧୁଆ ଦିବସ
ଆସିକା (ୱାଇଏନ୍ଏସ୍) : ଅକ୍ଟୋବର ମାସ ୧୫ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ହାତଧୁଆ ଦିବସ । ସ୍ୱଚ୍ଛତା, ସୁସ୍ଥ ଜୀବନ ଏବଂ ସାବୁନ୍ରେ ହାତ ଧୋଇବାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ୧୫ ତାରିଖକୁ ବିଶ୍ୱ ହାତଧୁଆ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ହାତଧୁଆ ଦିବସ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରା ପରାମର୍ଶ ଦେଇ କହିଛନ୍ତି ଯେ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛତାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇଥିଲା ବେଳେ ସ୍ୱଚ୍ଛତା ମଧ୍ୟରେ ଖାଇବା ପୂର୍ବରୁ ହାତ ଧୋଇବା ଏବଂ ନବଜାତକମାନଙ୍କୁ ଧରିବା ପୂର୍ବରୁ ହାତକୁ ଭଲ ରୂପେ ଧୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କୁ ହାତ ଧୋଇବାକୁ ଅଭ୍ୟାସରେ ପରିଣତ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ । ହାତକୁ ସଦାସର୍ବଦା ସଫାସୁତରା ଓ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସାବୁନ୍ରେ ଓ ସ୍ୱଚ୍ଛ ପାଣିରେ ହାତ ଧୋଇବା ଦ୍ୱାରା ଡାଇରିଆ (ଝାଡାବାନ୍ତି) ଓ ଥଣ୍ଡା ଭଳି ବିଭିନ୍ନ ସଂକ୍ରମଣ ରୋଗ ବହୁ ପରିମାଣରେ ହ୍ରାସ ପାଇଥାଏ । ତେଣୁ ଖାଇବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର ପରେ ହାତ ପରିଷ୍କାର ଭାବେ ଧୋଇବାକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଛି । ତେଣୁ ହାତଧୁଆ ସଂପର୍କରେ ଜନସାଧାରଣ ସଚେତନ ହେବା ନିତାନ୍ତ ଆବଶ୍ୟକ ।


