ଛାତ୍ରସଂସଦ ନିର୍ବାଚନ ପାଇଁ ଚାଲିଛି ମତଦାନ

ଆସିକା (ୱାଇଏନ୍‍ଏସ୍‍): ଆଜି ଅର୍ଥାତ୍‍ ଗୁରବାର ୧୫ ତାରିଖରେ ଅନୁଷ୍ଠିତ ହେବ ଛାତ୍ରସଂସଦ ନିର୍ବାଚନ । ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ମୁଁ କାହିଁକି ପ୍ରାର୍ଥୀ ହୋଇଛି (ହ୍ୱାଏ ଆଇ ଷ୍ଟାଣ୍ଡ ଫର୍‍) ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନ ସକାଶେ ବିଦ୍ୟାର୍ଥୀଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି । ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ବୁଧବାର ଅନୁଷ୍ଠିତ ହୋଇଥିବା ମୁଁ କାହିଁକି ପ୍ରାର୍ଥୀ ହୋଇଛି ବୈଠକକୁ ଶୃଙ୍ଖଳିତ ଭାବେ ସୁପରିଚାଳନା କରିବା ଲାଗି ଶିକ୍ଷାବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୮ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ କ୍ୟାମ୍ପସରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ବୁଧବାର ଅନୁଷ୍ଠିତ ହୋଇଥିବା ମୁଁ କାହିଁକି ପ୍ରାର୍ଥୀ ହୋଇଛି ବୈଠକରେ ଯୋଗଦେଇ କଲେଜର ସମସ୍ୟା, ଛାତ୍ରଛାତ୍ରୀଙ୍କ ଅଧିକାର, ସୁବିଧାସୁଯୋଗ ଓ ଭବିଷ୍ୟତ ବିକାଶକୁ ନେଇ ନିଜ ନିଜକ ଆଭିମୁଖ୍ୟ ରଖିଥିଲେ । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନ ସକାଶେ ବହୁ ପ୍ରାର୍ଥୀ ନୀରବ ଭୋଟ ଭିକ୍ଷା ଜାରି ରଖିଥିବା ଜଣାପଡିଛି । ଆସିକାର ଦୁଇ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି ବିଭିନ୍ନ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଛାତ୍ରସଂସଦ ନିର୍ବାଚନ ପାଇଁ କ୍ୟାମ୍ପସରେ ଜମିଛି ନିର୍ବାଚନୀ ପ୍ରଚାର ହେଲେ ତେଜିୟାନ୍‍ ହେବାରେ ଲାଗିଛି ଜିତିବାର ଅଙ୍କ । କାହା ସପକ୍ଷରେ ଯିବ ଛାତ୍ରଛାତ୍ରୀଙ୍କ ଭୋଟ? ଏବଂ କାହାର ପ୍ରଚାର ଓ ପ୍ରତିଶୃତ ଭୋଟରଙ୍କ ମନ ଜଣିବ? ବିସିଜେଡି ନା ଏବିଭିପିର ପଲା ଭାରି ରହିବ ତାହା ଆସନ୍ତାକାଲି ଅପରାହ୍ନରେ ଭୋଟ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ଲୋକପ୍ରିୟତା ଓ ନେତୃତ୍ୱ ଏବଂ ଦକ୍ଷତାର ପ୍ରମାଣ ଆସନ୍ତାକାଲି ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତାକାଲି ସକାଳେ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ ଏବଂ ଅପରାହ୍ନ ୨ଟାରୁ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରସଂସଦର ୯ଟି ପଦବୀ ପାଇଁ ୧୮ ଜଣ ପ୍ରାର୍ଥୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲା ବେଳେ ୩ଟି ବୁଥ୍‍ରେ ଯୁକ୍ତ ତିନି ବିଜ୍ଞାନ ଓ ବାଣିଜ୍ୟ ଏବଂ କଳା ପାଠ୍ୟକ୍ରମର ୧୩୦୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡିଛି । ସେହିଭଳି ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରସଂସଦର ୬ଟି ପଦବୀ ଲାଗି ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲା ବେଳେ ଯୁକ୍ତ ତିନି କଳା ପାଠ୍ୟକ୍ରମର ୧୨୦୭ ଜଣ ଛାତ୍ରୀ ୩ଟି ବୁଥ୍‍ରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଛାତ୍ରସଂସଦ ନିର୍ବାଚନ ପାଇଁ ମତଦାନ ସକାଶେ ପରିଚୟ ପତ୍ର ଓ ୟୁନିଫର୍ମକୁ ବାଧ୍ୟତାମୂଳକ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ