୯ମ ୧୦ମ ବହି ବିକ୍ରି ଆରମ୍ଭ
କଟକ: ଆଜିଠାରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ବହି ବିକ୍ରି । ଆସନ୍ତା ୨ ସପ୍ତାହ ଭିତରେ ସମସ୍ତ ବହି ବିକ୍ରି ଶେଷ ହେବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ କରୋନା ସଂକ୍ରମିତ ଅଞ୍ଚଳର (କଣ୍ଟେନମେଣ୍ଟ ଜୋନ) ରେ ବହି ବିକ୍ରି ହେବ ନାହିଁ । କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହର ହେଲା ପରେ ଯାଇ ଉକ୍ତ ଅଞ୍ଚଳରେ ବହି ବିକ୍ରି ହେବ । ବହି ବିକ୍ରି ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯିବା ବୋଲି ଗଣଶିକ୍ଷା ବିଭାଗର ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ବେହେରା ଚିଠି ମାଧ୍ୟମରେ ବୋର୍ଡ ସମ୍ପାଦକଙ୍କୁ ଅବଗତ କରାଇଛନ୍ତି । ଗତ ଏପ୍ରିଲ ୨୭ ରୁ ବୋର୍ଡର ୫ଟି ଜୋନ ସମ୍ବଲପୁର, ବ୍ରହ୍ମପୁର, ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁର ଜୋନକୁ ନବମ ଓ ଦଶମ ଶ୍ରେଣୀର ସମସ୍ତ ବହି ପଠାଯାଇଥିଲା । ପ୍ରତ୍ୟେକ ଜୋନରେ ପାଖାପାଖି ୩ ଲକ୍ଷ ବହି ଷ୍ଟକ ରହିଥିଲା । କିନ୍ତୁ କୋଭିଡ-୧୯ କଟକଣା ଭିତରେ କେମିତି ବହି ବିକ୍ରି କରାଯିବ ସେ ନେଇ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କୁ ଅନୁମତି ମାଗିଥିଲେ । ସରକାରଙ୍କୁ ଏ ନେଇ ବୋର୍ଡ ପକ୍ଷରୁ ଗତ ୪ ତାରିଖରେ ଚିଠି ଲେଖାଯାଇଥିଲା । ସରକାର ଅନୁମତି ପ୍ରଦାନରେ ଡେରି କରୁଥିବା ବେଳେ କେତୋଟି ପ୍ରାଇଭେଟ ସଂସ୍ଥାର ବହି ବଜାରରେ ବିକ୍ରି ହୋଇଥିଲା । ବିଳମ୍ବରେ ହେଲେ ବି ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ବହି ବିକ୍ରି କରିବାକୁ ଅନୁମତି ଦିଆଯାଇଛି ।


