ମାହିଙ୍କ ପ୍ରତ୍ୟାବର୍ତ୍ତନ ସହଜ ହେବନି: ଭେଙ୍କଟେଶ
ନୂଆଦିଲ୍ଲୀ: ଆଇପିଏଲ-୧୩ ଘୁଞ୍ଚିଯିବା ପରେ ଭେଟେରାନ ମହେନ୍ଦ୍ର ସିଂହ ଧୋନିଙ୍କ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ ଆଶା କ୍ଷୀଣ ହୋଇଯାଇଛି । ପାଖାପାଖି ବର୍ଷେ ହେବ ସେ କ୍ରିକେଟରୁ ଦୂରେଇ ରହିଛନ୍ତି । ସେ ଶେଷ ଥର ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ଖେଳିଥିଲେ । ଏହା ପରଠୁ ତାଙ୍କୁ କି୍ରକେଟ ଆକ୍ସନରେ ଦେଖିବାକୁ ମିଳିନି । ତଥାପି ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜାରି ରହିଛି । ଏଥିରେ ପୂର୍ବତନ ପେସ ବୋଲର ଭେଙ୍କଟେଶ ପ୍ରସାଦ ନିଜକୁ ସାମିଲ କରିଛନ୍ତି ।
ସେ କହିଛନ୍ତି, ଧୋନିଙ୍କ ପ୍ରତ୍ୟାବର୍ତ୍ତନ ସହଜ ହେବନି । ତାଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ବହୁତ ମୁସ୍କିଲ ହେବ । ସେ ଫିଟ ଥିବେ, କିନ୍ତୁ ବୟସ ବଢ଼ିଯାଇଥିବ । ଏବେ ତାଙ୍କୁ ୩୮ ବର୍ଷ । ତେଣୁ ଟିମ ମ୍ୟାନେଜମେଣ୍ଟ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଉପରେ ନିଷ୍ପତ୍ତି ନେବ । ଯଦି ତାଙ୍କୁ ସୁଯୋଗ ମିଳେ, ତା ହେଲେ ଟିମ୍ ମ୍ୟାନେଜମେଣ୍ଟ ବ୍ୟାଟିଂ କ୍ରମ ବଦଳାଇବା ଉଚିତ । ଧୋନିଙ୍କୁ ଫିନିଶର ଭାବେ ନୁହେଁ ବରଂ ୩ ରୁ ୪ ନଂ ସ୍ଥାନରେ ଖେଳାଇବା ଠିକ୍ ହେବ । ଯଦି ମ୍ୟାଚରେ ଆଉ ୧୦ ଓଭର ବାକି ଥିବ, ଧୋନିଙ୍କୁ ପୂର୍ବଭଳି ଜଣେ ଫିନିଶର ଭାବେ ପଠାଯାଇପାରିବ । ସେ ଜଣେ ଶ୍ରେଷ୍ଠ ମ୍ୟାଚ୍ ଫିନିଶର । ସେ ଜଣେ ଅଭିଜ୍ଞ ଖେଳାଳି ଏବଂ ତାଙ୍କ ପରାମର୍ଶ ଦଳ ପାଇଁ ମୂଲ୍ୟବାନ ରହିଆସିଛି ।’ ସୂଚନା ଯୋଗ୍ୟ, ଧୋନି ଟେଷ୍ଟର ଅବସର ନେବା ପରେ ସୀମିତ ଓଭର କି୍ରକେଟ ଖେଳୁଛନ୍ତି । କିନ୍ତୁ ଗତ ବିଶ୍ୱକପ୍ ପରଠୁ ସେ କ୍ରିକେଟ ଦୂରେଇ ରହିଛନ୍ତି ।


