୮କୋଟି ଦାଦନ ଶ୍ରମିକ ପରିବାରକୁ ଆତ୍ମନିର୍ଭର ଭାରତ ଅଭିଯାନରେ ଦିଆଯିବ ମାଗଣା ଖାଦ୍ୟ ସଶ୍ୟ

ନୂଆଦିଲ୍ଲୀ ; ମୋଦୀ ସରକାର ଦାଦନ ଶ୍ରମିକ ଓ ଗରିବ ଲୋକଙ୍କ ପାଇଁ ଯଥେଷ୍ଟ ସଂବେଦନଶୀଳ ଓ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଦେଶରେ ଯେପରି କେହି ଭୋକିଲା ନରୁହନ୍ତି ସେଥିପାଇଁ ସର୍ବବିଧ ଉଦ୍ୟମ ଜାରି ରଖିଛି । ନୂଆଦିଲ୍ଲୀର କୃଷି ଭବନଠାରେ ଆୟୋଜିତ ଭିଡିଓ କନଫରେନ୍ସ ସମ୍ମିଳନୀରେ ଗଣମାଧ୍ୟାମଙ୍କ ସହ ମତ ବିନିମୟ କାଳରେ ପ୍ରକାଶ କରିଛନ୍ତି ବିଭାଗୀୟ ମନ୍ତ୍ରୀ ରାମ ବିଲାଶ ପାଶୱାନ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ତାରିଖ ଦିନ ୨୦ ଲକ୍ଷ କୋଟି ଟଙ୍କାର ଏକ ସ୍ଵତନ୍ତ୍ର ଆର୍ଥିକ ଓ ବିସ୍ତୃତ ପ୍ୟାକେଜ ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନ ଭଳି ଆର୍ଥିକ ପ୍ୟାକେଜ କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଘୋଷଣା କରିବା ସହ ଗରିବ ଓ ଦାଦନ ଶ୍ରମିକମାନଙ୍କ କଲ୍ୟାଣ ପାଇଁ କେତେକ ସ୍ୱଳ୍ପ ଓ ଦୀର୍ଘମିଆଦି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଗୁଡିକ ମଧ୍ୟରେ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ ହୋଇନଥିବା ୮ କୋଟି ଦାଦନ ଶ୍ରମିକଙ୍କୁ ମାଗଣା ଖାଦ୍ୟ ଓ ଡାଲି ଜାତୀୟ ସଶ୍ୟ ବଣ୍ଟନ ଅନ୍ତର୍ଭୁକ୍ତ । କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାଦନ ଶ୍ରମିକମାନଙ୍କ କଷ୍ଟ ଲାଘବ କରିବାକୁ ସେମାନଙ୍କୁ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଖାଦ୍ୟ ସଶ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜରିଆରେ ଯୋଗାଇ ଦିଆଯିବ । ମାଲ ପରିବହନ ଓ ଡିଲରଙ୍କ ଦେୟ ସମେତ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳୱାରି ଖାଦ୍ୟ ସଶ୍ୟ ଆବଣ୍ଟନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏକ ନିର୍ଦ୍ଦିଷ୍ଟ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଅନ୍ତର୍ଭୁକ୍ତ ଶତକଡା ୧୦ ଭାଗ ହିତାଧିକାରୀଙ୍କ ସଂଖ୍ୟାକୁ ଭିତ୍ତିକରି ଏହି ଆବଣ୍ଟନ କରାଯାଇଛି । ତେବେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଖାଦ୍ୟ ସଶ୍ୟ ଆବଣ୍ଟନ କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ଆବଣ୍ଟିତ ଖାଦ୍ୟ ସଶ୍ୟର ଏକ ସବିଶେଷ ହିସାବ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟକୁ ପ୍ରଦାନ କରିବେ । ମୋଟାମୋଟି ଭାବେ ଏଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପଦ୍ଧତିକୁ ଅନୁସରଣ କରିବାକୁ ପଡିବ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକ ଆବଣ୍ଟିତ ଅଥବା ବଳକା ଖାଦ୍ୟ ସଶ୍ୟର ହିସାବ ବିଭାଗକୁ ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ପ୍ରଦାନ କରିବେ । ଆସନ୍ତା ସପ୍ତାହରେ ଖାଦ୍ୟ ସଶ୍ୟ ବଣ୍ଟନ ସମ୍ପର୍କିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଖାଦ୍ୟ ମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରାଯିବ ବୋଲି କହିଛନ୍ତି । ପଡି କାର୍ଡଗୁଡିକର ସରଳୀକରଣ ପାଇଁ ଗୋଟିଏ ଦେଶ ଗୋଟିଏ କାର୍ଡ ଯୋଜନାକୁ ଚୁଡାନ୍ତ ରୂପ ଦେବା ପାଇଁ ବିଭାଗ ପକ୍ଷରୁ ସମନ୍ଵିତ ସାଧାରଣ ବଣ୍ଟନ ପଦ୍ଧତି ପରିଚାଳନା ଯୋଜନା (ଆଇଏମପିଡିଏସ) କରାଯାଇଛି ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମେ’ ପହିଲା ସୁଦ୍ଧା ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଗୋଟିଏ ଦେଶ ଗୋଟିଏ କାର୍ଡ ଯୋଜନାରେ ସାମିଲ ହୋଇଗଲେଣି । ଆଉ ୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜୁନ ସୁଦ୍ଧା ଏବଂ ଅଗଷ୍ଟ ସୁଦ୍ଧା ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନାରେ ସାମିଲ ହୋଇଯିବେ । ମାର୍ଚ୍ଚ ୨୦୨୧ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ଯୋଜନାରେ ସାମିଲ ହେବା ଲାଗି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ଦାଦନ ଶ୍ରମିକମାନେ ଏହି ଯୋଜନାରେ ବିଶେଷ ଉପକୃତ ହେବେ, କାରଣ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ସାମିଲ ହିତାଧିକାରୀମାନଙ୍କୁ ସେମାନଙ୍କ ପଡି କାର୍ଡ ଜରିଆରେ ସୁଲଭ ମୂଲ୍ୟ ଦୋକାନକୁ ଯିବାକୁ ପଡିବ ନାହିଁ କି ବାୟୋମେଟ୍ରିକ ପରୀକ୍ଷା ନିରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ