ଆଇଆଇଟିର ଭୂତାଣୁ ପ୍ରତିରୋଧୀ ପ୍ରଲେପ ମାସ୍କ

ମୁମ୍ବାଇ: ଘାତକ କରୋନା ଭୂତାଣୁର ସିଧାସଳଖ ସଂକ୍ରମଣରୁ ବର୍ତ୍ତିବା ପାଇଁ ସାଧାରଣ ଲୋକମାନଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀଙ୍କ ଯାଏ ସବୁଠୁ ସହଜ ଉପକରଣ ଭାବେ ମାସ୍କ ବ୍ୟବହାର କରୁଛନ୍ତି । ମାତ୍ର ନାକ ଓ ପାଟିକୁ ଆବୃତ୍ତ କରିବା ଲାଗି ଯେତେ ସ୍ତରର ବହଳ ମାସ୍କ ବ୍ୟବହାର କଲେ ବି ତାହା ମହାମାରୀ କୋଭିଡ-୧୯ ବ୍ୟାପିବାରେ ସହାୟକ ହେଉଛି ବୋଲି ଜଣାପଡ଼ିବା ପରେ ସମସ୍ତଙ୍କ ଚିନ୍ତା ଆହୁରି ବଢ଼ିଯାଇଛି । ଏହାର ମୁକାବିଲା ପାଇଁ ଆଇଆଇଟି, ବମ୍ବେ ଏକ ସରଳ ସମାଧାନର ଉପାୟ ବାହାର କରିଛି । ଦେଶରେ ଏହି ପ୍ରମୁଖ ବୈଷୟିକ ପ୍ରତିଷ୍ଠାନ ଦ୍ୱାରା ଏକ ସ୍ୱତନ୍ତ୍ର ପ୍ରକାରର ବୀଜାଣୁ ଭୂତାଣୁ ପ୍ରତିରୋଧୀ ପ୍ରଲେପ ବିକଶିତ କରାଯାଇଛି, ଯାହାକୁ ମାସ୍କ ଉପରେ ଏକ ଆସ୍ତରଣ ଭାବେ ବୋଳି ଦିଆଯାଇପାରିବ। ଏହାର ବିଶେଷତ୍ୱ ହେଲା, ଉକ୍ତ ପ୍ରଲେପଯୁକ୍ତ ମାସ୍କକୁ ଯେତେ ଧୋଇଲେ ବି ଏହା ତାହାର ବୀଜାଣୁ-ଭୂତାଣୁ ପ୍ରତିରୋଧୀ ଗୁଣ ସେହିପରି ଅକ୍ଷୁଣ୍ଣ ରହିବ । ଆଇଆଇଟି ବମ୍ବେ ପକ୍ଷରୁ ଉକ୍ତ ଅଭିନବ ପ୍ରଲେପରେ ନିହିତ ଜ୍ଞାନକୌଶଳର ସ୍ୱତ୍ୱାଧିକାର (ପ୍ୟାଟେଣ୍ଟ) ହାସଲ ପାଇଁ ଆବେଦନ କରାଯାଇଛି । ଡ୍ୟୁରାପ୍ରଟ ଜ୍ଞାନକୌଶଳ ଭାବେ ପରିଚିତ ଏହି ବୈଷୟିକ ଜ୍ଞାନ ଦ୍ୱାରା ବୀଜାଣୁ-ଭୂତାଣୁ ପ୍ରତିରୋଧୀ ରାସାୟନିକ ପଦାର୍ଥକୁ ମାସ୍କ ତିଆରିରେ ବ୍ୟବହୃତ କପଡ଼ାରେ ହିଁ ଲେପନ କରିଦିଆଯାଇଥାଏ । ଏପରିକି ପରୀକ୍ଷାମୂଳକ ଭାବେ ଉକ୍ତ ମାସ୍କକୁ କୋଡ଼ିଏ ଥର ଯାଏ ଧୋଇଲେ କି ସଫା କଲେ ମଧ୍ୟ ସେଥିରୁ ବୀଜାଣୁ-ଭୂତାଣୁ ପ୍ରତିରୋଧୀ ଶକ୍ତି କମିନଥାଏ । ଅପରପକ୍ଷେ, ଏହି ପ୍ରଲେପରେ ଜଡ଼ିତ ରାସାୟନିକ ପଦାର୍ଥ ଉକ୍ତ ଲେପନ ପ୍ରକ୍ରିୟାରେ ମୂଲ୍ୟ ଖୁବ କମ୍‍ ରହିଥିବାରୁ ଏହିପରି ବୀଜାଣୁ-ଭୂତାଣୁ ପ୍ରତିରୋଧୀ ମାସ୍କକୁ ମଧ୍ୟ ସମସ୍ତେ ବ୍ୟବହାର କରିପାରିବେ ବୋଲି ଆଇଆଇଟି, ବମ୍ବେର ଜୈବ ବିଜ୍ଞାନ ଓ ଜୈବଜ୍ଞାନ କୌଶଳ ବିଭାଗ ମୁଖ୍ୟ ରିନ୍ତି ବାନାର୍ଜୀ ଆଶା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ