ସର୍ବନିମ୍ନ ସେବାୟତରେ ସ୍ନାନ ପୂର୍ଣ୍ଣିମା
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ରଥଯାତ୍ରା ବାତିଲ କରିବାକୁ ଆଜି ହାଇକୋର୍ଟରେ ଆବେଦନ କରାଯିବା ଭିତରେ ଏକ ଭଲ ଖବର ମଧ୍ୟ ସାମାନାକୁ ଆସିଛି । ତାହା ହେଲା ଶ୍ରୀଜୀଉଙ୍କ ସ୍ନାନଯାତ୍ରା ହେବା ନେଇ ସମ୍ଭାବନା ବଢିଛି । ଏନେଇ ଆଜି ଅନୁଷ୍ଠିତ ବୈଠକରେ ସର୍ବନିମ୍ନ ସେବାୟତରେ ସ୍ନାନଯାତ୍ରା କରିବାକୁ ଆଲୋଚନା ହୋଇଛି । ୧୦ ନିଯୋଗ ସହ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୨୫ ତାରିଖ ସୁଦ୍ଧା ସେବାୟତଙ୍କ ତାଲିକା ଦେବାକୁ କୁହାଯାଇଛି । ସେହି ତାଲିକା ଅନୁସାରେ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ । ତାଲିକାଭୁକ୍ତ ସେବାୟତମାନେ ସ୍ନାନପୂର୍ଣ୍ଣିମା ନୀତିରେ ଭାଗ ନେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଆଜି ବୈଠକରେ ୧୦ ନିଯୋଗର ପ୍ରତିନିଧିଙ୍କ ସହ କଥା ହେଲୁ । ପୂର୍ବରୁ ଦଇତାପତି ନିଯୋଗ ସହ ଏନେଇ ଆଲୋଚନା କରିଛୁ । ଏହା ପରେ ଛତିଶା ନିଯୋଗ ସହ ଆଲୋଚନା କରାଯିବ । ଶେଷରେ ପରିଚାଳନା କମିଟି ବୈଠକରେ ଆଲୋଚନା ଚୂଡ଼ାନ୍ତ ହେବ । ବର୍ତ୍ତମାନର କଟକଣା ଅନୁସାରେ ମନ୍ଦିର ବାହାରେ କିଛି କରି ହେବ ନାହିଁ । ୩୧ ପରେ କଣ କଟକଣା ରହିବ, ଏବେଠୁ କିଛି କହିହେବ ନାହିଁ । ସେଯାଏ ଅପେକ୍ଷା କରିବା, ଠିକ ସମୟରେ ଠିକ ନିଷ୍ପତ୍ତି ନେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ପ୍ରକାଶ ଯେ, ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ବୋଧହୁଏ ଏହା ପ୍ରଥମ ଥର ହେବ ଯେ ମହାପ୍ରଭୁଙ୍କ ରଥ ଚକକୁ କରୋନା ଭୂତାଣୁ ଅଟକାଇବାକୁ ସଂଘର୍ଷ କରୁଛି। ଏପରି ସ୍ଥିତିରେ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ସେବାୟତ, ପ୍ରଶାସକ ଓ ସରକାର ଚିନ୍ତାରେ ପଡ଼ିଛନ୍ତି। ଏହାରି ଭିତରେ କରୋନା ମହାମାରୀ ପାଇଁ ରଥଯାତ୍ରା ବାତିଲ କରିବାକୁ ଆବେଦନ କରାଯାଇଛି । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଏଥିରେ କେନ୍ଦ୍ର, ରାଜ୍ୟ ସରକାର ଓ ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି ।


