ଛାତ୍ରଙ୍କ ମୌଳିକ ସମସ୍ୟା ସମାଧାନ ଏବିଭିପିର ପ୍ରାଥମିକତା

ଜୟପୁର, (ହେମନ୍ତ ପାଣିଗ୍ରାହୀ) : ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ ଓ ଲଶିକ୍ଷାନୁକୂଳ ପରିବେଶ ସୃଷ୍ଟିକୁ ପ୍ରମୁଖ ଅସ୍ତ୍ର କରି ନିର୍ବାଚନୀ ମଇଦାନକୁ ଓହ୍ଲାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ସଂଗଠନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରାଯିବା ସହ ବିଭିନ୍ନ ପଦବୀ ପାଇଁ ସମର୍ଥିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଶ୍ୱବିଦ୍ୟାଳୟରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ସହ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ସୁଗମ କରିବା ପାଇଁ ବସ୍‌ ସେବା ଯୋଗାଇଦେବା ଏବିଭିପିର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ସଂଗଠନର ସଭାପତି ପ୍ରାର୍ଥୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଶିକ୍ଷାର୍ଥୀଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ସମସ୍ୟାଗୁଡ଼ିକର ସମାଧାନ ହେଲେ ହିଁ ଶିକ୍ଷାର ପରିବେଶ ଅଧିକ ସୁଦୃଢ଼ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ନିର୍ବାଚନରେ କୌଣସି ରାଜନୈତିକ ନେତାଙ୍କ ସହାୟତା ନେଇନଥିବା ଦାବି କରି ଜ୍ୟୋତି ରଞ୍ଜନ କହିଥିଲେ ଯେ, ଏବିଭିପିର ଲକ୍ଷ୍ୟ କ୍ଷମତା ରାଜନୀତି ନୁହେଁ, ବରଂ ଛାତ୍ରସମାଜର ହିତ ଓ ରାଷ୍ଟ୍ରର ମଙ୍ଗଳ। “ଆମେ ରାଜନୀତି କରୁନାହୁଁ, ରାଷ୍ଟ୍ରନୀତି କରୁଛୁ” ବୋଲି ସେ ନିଜ ମତ ରଖିଥିଲେ। ଅନ୍ୟ ଛାତ୍ର ସଂଗଠନଗୁଡ଼ିକୁ ରାଜନୈତିକ ନେତାଙ୍କ ସମର୍ଥନ ମିଳୁଥିବା ନେଇ ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ତେବେ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ସମସ୍ତ ଛାତ୍ର ସଂଗଠନକୁ ଏବିଭିପି ସ୍ୱାଗତ କରୁଥିବା ସେ ସ୍ପଷ୍ଟ କରିଥିଲେ। ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚନୀ ଆଚରଣବିଧି ଓ ନିୟମାବଳୀର ଅନୁପାଳନ ଉପରେ ମଧ୍ୟ ଏବିଭିପି ଗୁରୁତ୍ୱାରୋପ କରିଛି। ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ବାଚନ ପରିଚାଳିତ ହେବା ଆବଶ୍ୟକ ଏବଂ ଏହାର ଉଲ୍ଲଂଘନ କୌଣସି ପରିସ୍ଥିତିରେ ହେବା ଉଚିତ ନୁହେଁ ବୋଲି ଜ୍ୟୋତି ରଞ୍ଜନ ମତ ଦେଇଥିଲେ। ପ୍ରାରମ୍ଭରେ ଏବିଭିପି ପକ୍ଷରୁ ନିର୍ବାଚନୀ ପ୍ରଚାର କରିବା ପାଇଁ ବିଶେଷ ଯୋଜନା ନଥିଲା। କିନ୍ତୁ ଅନ୍ୟ ଛାତ୍ର ସଂଗଠନଗୁଡ଼ିକ ପ୍ରଚାର ଆରମ୍ଭ କରିବା ପରେ ସଂଗଠନକୁ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ପଡ଼ିଥିଲା ବୋଲି ସେ କହିଥିଲେ। ଏହି ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ସମର୍ଥନ ଏବିଭିପି ସପକ୍ଷରେ ରହିଥିବା ଦାବି କରିବା ସହ ସଂଗଠନର ସମସ୍ତ ପ୍ରାର୍ଥୀ ବିଜୟୀ ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ସଭାପତି ପଦ ପାଇଁ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ଉପସଭାପତି ପଦ ପାଇଁ ଦିନେଶ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପଦ ପାଇଁ ପି. ହୋମେଶ୍ୱରୀ ଏବଂ ସହକାରୀ ସାଧାରଣ ସମ୍ପାଦକ ପଦ ପାଇଁ ପର୍ଶୁରାମ ଗୋଲାରୀଙ୍କୁ ପ୍ରାର୍ଥୀ କରାଯାଇଛି।
ସେହିପରି କ୍ରୀଡ଼ା ସମ୍ପାଦକ ପଦ ପାଇଁ ଆଶୁତୋଷ ମହାନ୍ତି, ନାଟ୍ୟ ସମ୍ପାଦକ ପଦ ପାଇଁ ପୋଲକ ପଟ୍ଟନାୟକ, ବିଜ୍ଞାନ ସମ୍ପାଦକ ପଦ ପାଇଁ ଅମ୍ବିକା ପିଲେଣ୍ଟି, ଦିବାଛାତ୍ର ସଂଘ ସମ୍ପାଦକ ପଦ ପାଇଁ ଶୁଭମ ନାୟକ ଏବଂ ଛାତ୍ରୀ ସାଧାରଣ କକ୍ଷ ସମ୍ପାଦିକା ପଦ ପାଇଁ ଲିସା ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି।
ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ଉନ୍ନତ ଯାତାୟାତ ବ୍ୟବସ୍ଥା ଓ ଶିକ୍ଷାନୁକୂଳ ପରିବେଶ ଗଠନର ପ୍ରତିଶ୍ରୁତିକୁ ନେଇ ଏବିଭିପି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ ଏହାର ଇସ୍ତାହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ କେତେଦୂର ପ୍ରଭାବ ପକାଇବ, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ