ଗଞ୍ଜାମ ଜିଲ୍ଲାରେ “ଇ-ସୁବିଦ୍ୟା’’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଛତ୍ରପୁର, (ୱାଇଏନ୍ଏସ୍): କରୋନା ମହାମାରୀର ଭୟାବହତାରେ ସାରା ବିଶ୍ୱ ଥରହର, ଓଡିଶାର ଗଞ୍ଜାମ ଜିଲ୍ଲା ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ରେଡ଼ ଜୋନ୍ରେ ସ୍ଥାନିତ ହୋଇଛି । ଏହି ଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ପ୍ରଗତିଶୀଳ ଶିକ୍ଷା ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ । ଏହି ସମୟରେ ଗୁଣାତ୍ମକ ଶିକ୍ଷାକୁ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି ବିକଳ୍ପ ଶିକ୍ଷା ବ୍ୟବସ୍ଥା “ଇ-ସୁବିଦ୍ୟା’’ । ଏହି ଅନୁକ୍ରମରେ ଆଉ ପାଦେ ଆଗକୁ ଯାଇ ପରିକ୍ଷତ ଦାଶ , ଜିଲ୍ଲା ମଙ୍ଗଳଅଧିକାରୀ, ଗଞ୍ଜାମଙ୍କ ବଳିଷ୍ଠ ନେତୃତ୍ୱରେ ଗତ ୧୮ ତାରିଖରେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ଅଧିନସ୍ଥ ସମସ୍ତ ୪୨ଟି ବିଦ୍ୟାଳୟର ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ୩୦୦ରୁ ଉର୍ଦ୍ଧ୍ୱ ଗ୍ରାମ ଏବଂ ଅସ୍ଥାୟୀ ଚିକିତ୍ସା ଶିବିର ଦାୟିତ୍ୱ ବାହାରେ ଥିବା ୬୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯାଇଛି । ପ୍ରତି ବ୍ଲକ୍ ସ୍ତରରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ପ୍ରଧାନ ଶିକ୍ଷକ, ଶ୍ରେଣୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସପ୍ ଗ୍ରୃପ ଗଠନ କରାଯାଇଛି । ଦକ୍ଷ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପାଠ୍ୟ ଖସଡ଼ା, ଶିକ୍ଷଣ ଫର୍ଦ୍ଦ, କାର୍ଯ୍ୟଫର୍ଦ୍ଦ ଓ ଅଡ଼ିଓ ଭିଜୁଆଲ ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ଶିକ୍ଷାଦାନ ପ୍ରକ୍ରିୟାର ଶୁଭାରମ୍ଭ କରାଯାଉଛି । ପ୍ରକାଶ ଥାଉକି, ଏହା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗ୍ରାମକୁ ଯାଇ ପୁସ୍ତକ ବଣ୍ଟନ କରାଯାଇଛି । ସମସସ୍ତ ୬୪ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆସନ୍ତା ଜୁନ ୧୩ ପର୍ଯ୍ୟନ୍ତ ଏହିପରି ଅସ୍ଥାୟୀ ଶ୍ରେଣୀର ବ୍ୟବସ୍ଥା କରି ପାଠପଢ଼ା କାର୍ଯ୍ୟ କରାଯିବା ସମ୍ପର୍କରେ ବୁଝାଥିଲେ । ପର୍ଯ୍ୟାୟକ୍ରମେ ସମସ୍ତ ଗ୍ରାମ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଶତପ୍ରତିଶତ ଲକ୍ଷ୍ୟ ସାଧନ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଅଭେଦ୍ୟ ଓ ଦୁର୍ଗମ ଗ୍ରାମମାନଙ୍କୁ ଯାଇ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମର ଆରମ୍ଭ କରିଥିବାରୁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ ସାଧୁବାଦ ଜଣାଇଛନ୍ତି ।


