ସୂଚନା ଫଳକରେ ଭୂଲ ବନାନ ଲେଖାକୁ ନେଇ ଅସନ୍ତୋଷ ବୃଦ୍ଧି
ଆସିକା (ୱାଇଏନ୍ଏସ୍): ଓଡିଆ ଅସ୍ମିତା ପାଇଁ ରାଜ୍ୟ ସରକାର ବଜେଟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ଆସିକା ଅଞ୍ଚଳରେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ଆସିକା ପୌର ପରିଷଦ କର୍ତ୍ତୃପକ୍ଷଙ୍କ ମାତୃଭାଷା ପ୍ରତି ଥିବା ଗଭୀର ଜ୍ଞାନ ଓ ଆନ୍ତରିକତାକୁ ପଦାରେ ପକାଇ ଦେଇଛି ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଯେଉଁ ସରକାର ଓଡିଆ ଅସ୍ମିତାକୁ ନିଜର ମୁଖ୍ୟ ଆୟୁଧ କରୁଛନ୍ତି ସେହି ସରକାରଙ୍କ କେତେକ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ଅତି ସାଧାରଣ ଓଡିଆ ଶବ୍ଦ ମଧ୍ୟ ଭଲ ଭାବରେ ଲେଖିବା ଦିଗରେ ପଦକ୍ଷେପ ନେଉନଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ସଂପର୍କରେ ମିଳିଥିିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ହାଟପଦା ଛକ ନିକଟରେ ମୁଖ୍ୟମନ୍ତ୍ରୀ ସହରୀବିକାଶ ଯୋଜନାରେ କୋରୋନେସନ୍ ପାର୍କରେ ଥିବା ଉପକରଣ ଗୁଡିକର ନବୀକରଣ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ଉଦ୍ଘାଟନୀ ସମାରୋହ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆସିକା ସହରର ସର୍ବାଙ୍ଗୀନ ବିକାଶ ପାଇଁ ପୌର ପରିଷଦ ପକ୍ଷରୁ ନିଆଯାଉଥିବା ବହୁବିଧ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ସୂଚନା ଫଳକରେ ଭୂଲ ବନାନ ଲେଖିବା ଘଟଣା ଆମ ମାତୃଭାଷା ଓଡିଆ ପ୍ରତି ଏକ ଚରମ ଅବହେଳା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ହାଟପଦା ଛକ ସ୍ଥିତ କୋରୋନେସନ୍ ପାର୍କରେ ଥିବା ଉପକରଣ ଗୁଡିକର ନବୀକରଣ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଭୂଲ ବନାନ ଲେଖା ଥିବା ସୂଚନା ଫଳକ ଲଗାଇବା ପୂର୍ବରୁ କିପରି ଦାୟିତ୍ୱରେ ଥିବା ଅଧିକାରୀ ଜାଣିପାରିଲେ ନାହିଁ ତାହାକୁ ନେଇ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦର କେଉଁ ଅଧିକାରୀ ଆମ ମାତୃଭାଷା ଓଡିଆକୁ ହେୟଜ୍ଞାନ କରି “ରକ୍ଷଣାବେକ୍ଷଣ” ଲେଖାକୁ ଏଭଳି ଭୂଲ ବନାନରେ ଲେଖି ସୂଚନା ଫଳକ ସର୍ବସମ୍ମୁଖରେ ଲଗାଇବା ପାଇଁ ସାହସ କଲେ ତାହାର ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି । ଯେତେବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଡିଣ୍ଡିମ ପିଟାଯାଉଛି ସେତେବେଳେ ଆସିକା ପୌର ପରିଷଦର ଅଧିକାରୀ ମୌଳିକ ବ୍ୟାକରଣ ଭୁଲି ଭୂଲ ବନାନରେ ସୂଚନା ଫଳର ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ପରିତାପର ବିଷୟ ବୋଲି ଚର୍ଚ୍ଚା ହେଉଛି । ଓଡିଶାକୁ ଆମେ ଯେମିତି ଭଲ ପାଉଛେ ସେଭଳି ଆମ ମାତୃଭାଷା ଓଡିଆକୁ ଯଦି ଭଲ ପାଇବା ତେବେ ଭାଷାର ପ୍ରସାର ଓ ପ୍ରଚାର ଆହୁରି ରୁଦ୍ଧିମନ୍ତ ହୋଇପାରିବ ବୋଲି ଆଲୋଚିତ ହେଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟ ଲାଗି ଭୂଲ ବନାନ ଲେଖି ପ୍ରସ୍ତୁତ ହୋଇଥିବା ସୂଚନା ଫଳକ କିଏ ପ୍ରସ୍ତୁତ କଲା ଓ ସେଥିପାଇଁ ଦାୟୀ କିଏ ତାହାର ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଙ୍ଗକୁ ଓଡିଆ ଭାଷାର ମହତ୍ୱକୁ ଗୁରୁତ୍ୱ ଦେଇ ଭୂଲ ବନାନକୁ ସଂଶୋଧନ କରି ନୁଆଁ ସୂଚନା ଫଳକ ଲଗାଇବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ପୌର ପରିଷଦ ଅଧୀନସ୍ଥ ବିଭିନ୍ନ ୱାର୍ଡରେ ହେଉଥିବା ବହୁବିଧ ବିକାଶମୂଳକ କାର୍ଯ୍ୟକୁ କାଉନସିଲର ନିଗମାନନ୍ଦ ରାଉତ ଓ ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ ଏବଂ ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ମହାରଣା ଓ ଶିବପ୍ରସାଦ ଶତପଥୀ ସ୍ୱାଗତ କରି କହିଛନ୍ତି ଯେ କେତେକ ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟରେ ଉକ୍ତ ୱାର୍ଡର ନିର୍ବାଚିତ କାଉନସିଲରଙ୍କୁ ଅଣଦେଖା ଓ ହତାଦର କରି ସୂଚନା ଫଳକରେ ନାମ ନ ଲେଖିବା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ ହୋଇଥିଲା ବେଳେ କେଉଁ ପରିସ୍ଥିତିରେ କୋରୋନେସନ୍ ପାର୍କର ସୂଚନା ଫଳକରେ ଉକ୍ତ ୱାର୍ଡର କାଉନସିଲରଙ୍କ ନାମ ଲେଖାଗଲା ନାହିଁ ତାହାରି ବିରୋଧରେ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।


