ଚା କପ୍‍ରେ ଚିନି ଦର ବୃଦ୍ଧିର ପ୍ରଭାବ

ଆସିକା (ୱାଇଏନ୍‍ଏସ୍‍) :ଗତ କିଛି ଦିନ ହେଲା ଆସିକା ଅଞ୍ଚଳରେ ଚିନିଦର ଦିନକୁ ଦୁନ ବୃଦ୍ଧି ପାଇଚାଲିଥିବା ଯୋଗୁଁ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି । ରାତି ପାହିବା ମାତ୍ରେ ଚା କପ୍‍ରୁ ଚିନିର ଆବଶ୍ୟକତା ଆରମ୍ଭ ହେଉଥିବା ବେଳେ ଏହାର ମୂଲ୍ୟବୃଦ୍ଧି ସିଧାସଳଖ ଚା କପ୍‍ ଉପରେ ପଡୁଥିବା ଚର୍ଚ୍ଚା ହେଉଛି । ଚିନିଦର ବୃଦ୍ଧି ଯୋଗୁଁ କେତେକ ବ୍ୟବସାୟୀ ଚା ର କପ୍‍ ପିଚ୍ଛା ଦର ମଧ୍ୟ କିଛି ମାତ୍ରାରେ ବୃଦ୍ଧି କରିଥିବା ବେଳେ ଆଉ କିଛି ବ୍ୟବସାୟୀ ଦର ଅପରିବର୍ତ୍ତିତ ରଖିଥିବା ଜଣାପଡିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ଚା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ଚିନିଦର ହଠାତ୍‍ ବୃଦ୍ଧି ପାଇବା ପରେ ଏହାର ପ୍ରଭାବ କେବଳ ଗ୍ରାହକଙ୍କ ଉପରେ ନୁହେଁ ବରଂ ଛୋଟବଡ ଚା ଦୋକାନୀଙ୍କ ଉପରେ ମଧ୍ୟ ପଡିଛି । ଗତ କିଛି ଦିନ ତଳେ ଚିନିର କିଲୋ ପ୍ରତି ଦର ୪୨ ରୁ ୪୫ ଟଙ୍କାରେ ବିକ୍ରୀ ହେଉଥିଲା ବେଳେ ବର୍ତ୍ତମାନ କିଲୋ ପ୍ରତି ଦର ୫୮ ରୁ ୬୦ ଟଙ୍କା ଦରରେ ବିକ୍ରୀ ହେଉଥିବା ଜଣାପଡିଛି । ଚିନି ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଗରିବ ତଥା ମଧ୍ୟବିତ୍ତ ପରିବାରବର୍ଗଙ୍କ ଠାରୁ ଆରମ୍ଭ କରି ଧନୀକ ଶ୍ରେଣୀର ବ୍ୟକ୍ତିଙ୍କ ଆବଶ୍ୟକତା ରହୁଛି । ଚିନିଦର ବୃଦ୍ଧି ତଥା ଏହାର ପ୍ରଭାବରେ ପ୍ରାୟତଃ ଅଧିକାଂଶ ବ୍ୟକ୍ତି ବିଶେଷ ଭାବେ ଗତ କିଛି ଦିନ ହେଲା ପ୍ରଭାବିତ ହୋଇପଡିଛନ୍ତି । ମିଠା ଦୋକାନ ଠାରୁ ଆରମ୍ଭ କରି ଚା ଦୋକାନ ପର୍ଯ୍ୟନ୍ତ ସବୁଠି ଲାଗିରହିଛି ଚିନି ଦର ବୃଦ୍ଧି ନେଇ ମହଙ୍ଗା ଚର୍ଚ୍ଚା । ସାଧାରଣ ମଣିଷଟିଏ ତଥା ଦୈନିକ ଚା ପିଇବା ଅଭ୍ୟାସ ଥିବା ବହୁ ବ୍ୟକ୍ତି ଚିନିଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଦୈନିକ ସକାଳୁ ଓ ସନ୍ଧ୍ୟା ସମୟରେ ପ୍ରାୟତଃ ୧୦ କପ୍‍ ଚା ପିଉଥିବା ଚା ପ୍ରେମୀମାନଙ୍କ ମଧ୍ୟରୁ କେତେକ ଚିନିଦର ବୃଦ୍ଧିର ପ୍ରଭାବରେ ଚା ର କପ୍‍ ପିଛା ଦର କେତେକ ଦୋକାନରେ ବୃଦ୍ଧି ପାଇଥିବାରୁ ଚା ପିଇବା ମଧ୍ୟ କମାଇବାରେ ଲାଗିଛନ୍ତି । ଚା ପିଇ ଟିକିଏ ରିଲାକ୍ସ ଅନୁଭବ କରିବା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରି ବନ୍ଧୁତାକୁ ବଜାୟ ରଖିବାକୁ ଚେଷ୍ଟା କରୁଥିବା ବହୁ ଯୁବପିଢୀ ଚିନିଦର ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ