ସରକାରୀ ନିର୍ଦ୍ଦେଶକୁ ଫୁ.. ସକାଳୁଆ ଅଫିସ ପାଲଟିଛି ପ୍ରହସନ
ହିଂଜିଳିକାଟୁ, ୨୬ା୫ (ୱାଇଏନଏସ): ସାରା ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଦିନ୧୦ ଟା ପରେ ପ୍ରବଳ ଅଗ୍ନି ବର୍ଷା । ଚାରିଆଡ଼େ ଫାଙ୍କା ଫାଙ୍କା ଦିଶୁଛି । ରାସ୍ତାଘାଟ, ଦୋକାନ ବଜାର ସବୁଠି ଶୁନ୍ଶାନ । ଗୋଟିଏ ପଟେ କରୋନା ଭୁତାଣୁ ସଂକ୍ରମଣ ପାଇଁ ସରକାର ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଥିବା ବେଳେ ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିହାତି କାହାର ଗୁରୁତ୍ୱପୁର୍ଣ୍ଣ କାମ ନଥିଲେ ବାହାରକୁ ଯିବାକୁ ଡ଼ରୁଛନ୍ତି । ସରକାର ମଧ୍ୟ ବାରଣ କରୁଛନ୍ତି ଜନସାଧାରଣଙ୍କୁ ବାହାରକୁ ବାହାରିବାକୁ । ଏପରିସ୍ଥଳେ ସରକାର ମଧ୍ୟ ଏଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ସକାଳୁଆ କରିବା ପାଇଁ ଘୋଷଣା କରିଛନ୍ତି । କିନ୍ତୁ ଏହି ସକାଳୁଆ ଅଫିସ ସୁଯୋଗରେ ସରକାରୀ ବାବୁ ମାନେ ଫାଙ୍କୁଥିବା ଅଭିଯୋଗ ହେଉଛି । ଏଭଳି ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁ ଅଂଚଳରେ ଥିବା ବିଭିନ୍ନ ସରକାରୀ ଦପ୍ତର ମାନଙ୍କରେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ୟେହ ସକାଳ ୭ ଟା ରେ ସରକାରୀ ବାବୁ ମାନେ ନିଜ ନିଜର କର୍ମମୟ କାର୍ଯ୍ୟାଳୟରେ ପଂହଚିବାର ନିୟମ ରହିଥିଲେ ସୁଦ୍ଧା ସରକାରୀ ବାବୁ ମାନେ ସକାଳ ୯ ଟାରେ ପଂହଚୁଥିବାର ଦେଖିବାକୁ ମିଳୁଛି । କାର୍ଯ୍ୟାଳୟର ତଳିଆ କର୍ମଚାରୀ ମାନେ ସକାଳୁ ଆସି ଅଫିସ ଖୋଲି ସାରି ବସିଥିବା ବେଳେ କାର୍ଯ୍ୟ ଉଦ୍ଦେଶ୍ୟରେ ଆସିଥିବା ଜନସାଧାରଣ ସେହିପରି ଅପେକ୍ଷା କରି ବସୁଛନ୍ତି ବାବୁମାନେ ଆସିବା ପର୍ଯ୍ୟନ୍ତ । ସବୁ ସରକାର ନୀତି ନିୟମକୁ ଫୁ କରି ବାବୁ ମାନେ ଅଫିସ ଆସୁଛନ୍ତି ଦିନ୯ ଟାରେ ଏବଂ ପୁଣି ଦିନ ୧ ଟା ପୂର୍ବରୁ ଅଫିସ ଫାଙ୍କା କରି ବାବୁ ମାନେ ଚାଲିଯାଉଥିବା ଅଭିଯୋଗ ହେଉଛି । ହିଂଜିଳିକାଟୁ ସହର ମଧ୍ୟରେ ଅବସ୍ଥାପିତ ଥିବା ପଂଚାୟତ କାର୍ଯ୍ୟାଳୟ, ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଉଠା ଜଳସେଚନ ବିଭାଗୀୟ କାର୍ଯ୍ୟାଳୟ, ଜନସ୍ୱାସ୍ଥ୍ୟ ବିଭାଗୀୟ କାର୍ଯ୍ୟାଳୟ, ଆରଡ଼ବ୍ଳ୍ୟୁଏସଏସ ଅଫିସ, ସବରେଜିଷ୍ଟାର କାର୍ଯ୍ୟାଳୟ, ପୂର୍ତ ବିଭାଗୀୟ କାର୍ଯ୍ୟାଳୟ, ରାସ୍ତା ଓ କୋଠାବାଡ଼ି ବିଭାଗୀୟ କାର୍ଯ୍ୟାଳୟ ସମେତ ବହୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ ବାବୁ ମାନେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ କାର୍ଯ୍ୟାଳୟରେ ପଂହଚୁଥିବାର ଦେଖିବାକୁ ମିଳୁଛି । କାର୍ଯ୍ୟାଳୟରେ ଉପସ୍ଥିତ ଥିବା ତଳିଆ କର୍ମଚାରୀ ମାନଙ୍କୁ ପଚାରିଲେ ବାବୁ ମାନେ ଫିଲ୍ଡକୁ ଯାଇଥିବା ନେଇ ଉତର ମିଳୁଛି । ଏପରିକି ବହୁ ସରକାରୀ ଦପ୍ତର ମାନଙ୍କରେ ଅଫିସରମାନେ ସକାଳ ୭ ଟା ରେ ଅଫିସ ନଆସି ବହୁ ବବିଳମ୍ବରେ ଆସୁଥିବାରୁ ସାଧାରଣ ଜନତା ଅସୁବିଧାରେ ପଡ଼ୁଥିବା ବେଳେ ସରକାରଙ୍କ ସକାଳୁଆ ଅଫିସ କରିବାର ମହତ୍ୱ ମଧ୍ୟ ଫଳପ୍ରଦ ହେବାରୁ ବଂଚିତ ହେଉଛି ।


