ସେସୁ କର୍ମଚାରୀଙ୍କ ଦରମା ବନ୍ଦ ଯୋଗୁଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଧାରଣା

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ)  କେନ୍ଦ୍ରାପଡା ସେସୁ ଡିଭିଜନର ଜନୈକ କର୍ମଚାରୀଙ୍କ ଦରମାକୁ ଦୀର୍ଘଦିନ ଧରି ବନ୍ଦ କରିଦିଆଯାଇଥିବାରୁ ସେହି କର୍ମଚାରୀଙ୍କ ପରିବାରଟି ଅତ୍ୟନ୍ତ ହିନସ୍ତା ଭାବରେ କାଳାତିପାତ କରୁଛନ୍ତି । ଏହାର ପ୍ରତିବାଦରେ ସେହି କର୍ମଚାରୀଙ୍କ ସପରିବାର ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାର ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସେସୁ ଡିଭିଜନର କର୍ମଚାରୀ ବସନ୍ତ କୁମାର ଦାସ ଅଭିଯୋଗ କରିଛନ୍ତି ଯେ ଦୀର୍ଘଦିନଧରି ତାଙ୍କ ଦରମାକୁ ବିନା କାରଣରେ ବନ୍ଦ କରିଦିଆଯିବା ସହ ତାଙ୍କ ପୁଅକୁ ମାଡମାରି ୨ଟି ଦାମି ମୋବାଇଲ ଛଡାଇ ନିଆଯାଇଛି । ଏ ସମ୍ପର୍କରେ ବାରମ୍ବାର ନିବେଦନ ସତ୍ୱେ ବିଭାଗୀୟ ପରିଚାଳକ କିଛି ବୁଝୁନାହାନ୍ତି । ତେଣୁ ଶେଷରେ ସେ ବାଧ୍ୟହୋଇ ପରିବାର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି । କିନ୍ତୁ ଏ ସମ୍ପର୍କରେ କେନ୍ଦ୍ରାପଡା ସେସୁର ସହକାରୀ ସାଧାରଣ ପରିଚାଳକ ଅମରଜିତ ପଟ୍ଟନାୟକଙ୍କ ମତାମତ ନେବାରେ ସେ କୁହନ୍ତି ଯେ ସେସୁର ହେଲପର ବସନ୍ତ କୁମାର ଦାସ ଉପରିସ୍ତ ଅଧିକାରୀଙ୍କୁ କିଛି ନଜଣାଇ ବାରମ୍ବାର ନିଜ ଦାୟିତ୍ୱରୁ ଅନୁପସ୍ଥିତ ରହିବା ଯୋଗୁଁ ତାଙ୍କ ଉପରିସ୍ତ ଅଧିକାରୀଙ୍କ ରିପୋର୍ଟ ଆଧାରରେ ତାଙ୍କ ଦରମା ବନ୍ଦ କରାଯାଇଛି । ତାଙ୍କୁ ଦାୟିତ୍ୱ ନିର୍ବାହ ନିମନ୍ତେ ବାରମ୍ବାର ନିର୍ଦେଶ ସତ୍ୱେ ସେ ଜାଣିଶୁଣି ଅନୁପସ୍ଥିତ ରହୁଥିବାରୁ ସରକାରଙ୍କ ନୀତି ନୀୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ଆଗକୁ ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ