ମନୋମାଳିନ୍ୟ ଦୂର କରିବାର ସରଳ ଉପାୟ

ବୈବାହିକ ଜୀବନରେ ଛୋଟ ବଡ଼ କଥାକୁ ନେଇ ଯୁକ୍ତିତର୍କ ହେବା ସାଧାରଣ କଥା। କୁହାଯାଏ ଏହାଦ୍ବାରା ସମ୍ପର୍କ ଆହୁରି ଦୃଢ଼ ହୋଇଥାଏ। କିନ୍ତୁ ବେଳେ ବେଳେ ଏହି ମନୋମାଳିନ୍ୟ ଓ ମତାନ୍ତର ଏତେ ମାତ୍ରାରେ ବଢ଼ିଯାଏ ଯେ ସମ୍ପର୍କରେ ଫାଟ ସୃଷ୍ଟି ହେବାରେ ବିଳମ୍ବ ହୋଇ ନ ଥାଏ। ଏପରିସ୍ଥଳେ ସମ୍ପର୍କକୁ ଦୃଢ଼ କରିବା ପାଇଁ କେତେକ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ। ଚାଲନ୍ତୁ ଜାଣିବା ପାର୍ଟନରଙ୍କ ସହିତ ଝଗଡ଼ାର କିପରି ସମାଧାନ କରିବେ।
ପ୍ରେମର ସହ ଆଲିଙ୍ଗନ କରନ୍ତୁ
ଯଦି କୌଣସି କାରଣରୁ ପାର୍ଟନରଙ୍କ ସହିତ ମତାନ୍ତର ହୋଇଯାଏ, ତେବେ ରାଗ ଶାନ୍ତ କରିବା ଲାଗି ତାଙ୍କୁ ପ୍ରେମର ସହ ଆଲିଙ୍ଗନ କରନ୍ତୁ। ଏପରି କରିବା ଦ୍ବାରା ତାଙ୍କ ରାଗ ଶାନ୍ତ ହୋଇଯିବ। ଏଥିସହିତ ଏକାଠି ବସି କଥା ହୁଅନ୍ତୁ ଓ ଝଗଡ଼ାର ସମାଧାନ କରନ୍ତୁ।
ପାର୍ଟନରଙ୍କ ମନ ପସନ୍ଦର ଖାଦ୍ୟ ରାନ୍ଧନ୍ତୁ
କୁହାଯାଏ, କାହାରି ହୃଦୟ ପର୍ଯ୍ୟନ୍ତ ପହଞ୍ଚିବାର ରାସ୍ତା ତାଙ୍କ ପେଟରୁ ଆରମ୍ଭ ହୋଇଥାଏ। ଏପରିସ୍ଥଳେ ପାର୍ଟନର ରାଗିଥିଲେ, ତାଙ୍କ ମନପସନ୍ଦର ଡିଶ୍ ତିଆରି କରି ତାଙ୍କୁ ସରପ୍ରାଇଜ୍ ଦେଇପାରିବେ। ଏଥିସହିତ ପ୍ରେମର ସହ ତାଙ୍କୁ ଖାଦ୍ୟ ପରଷନ୍ତୁ। ଏପରି କରିବା ଦ୍ବାରା ତାଙ୍କ ରୋଷ ନିମିଷକେ ଦୂର ହୋଇଯିବ।
ମେସେଜ୍ କରନ୍ତୁ
ପ୍ରଥମ ଥର ପାର୍ଟନରଙ୍କୁ ସାକ୍ଷାତ କରିଥିବା କଥା ମନେପକାନ୍ତୁ। ବିବାହର ଆରମ୍ଭରେ ଆପଣ କିଭଳି ଭାବେ ତାଙ୍କୁ ବ୍ୟବହାର କରୁଥିଲେ, ସେ କଥା ମନେ ପକାଇ ପାର୍ଟନରଙ୍କୁ ରୋମାଣ୍ଟିକ ମେସେଜ୍ ପଠାନ୍ତୁ। ତାଙ୍କ ପ୍ରଶଂସା କରନ୍ତୁ। ପାର୍ଟନରଙ୍କୁ ବୁକେ, କାର୍ଡ, ଚକୋଲେଟ୍ ଆଦି ଦିଅନ୍ତୁ। ଯଦି ସମ୍ଭବ ପାର୍ଟନରଙ୍କ ମନ ପସନ୍ଦର ଉପହାର ମଧ୍ୟ ଦେଇପାରିବେ। ଏପରି କରିବା ଦ୍ବାରା ତାଙ୍କ ଚେହେରାରେ ହସ ଓ ଆପଣଙ୍କ ପ୍ରତି ଥିବା ପ୍ରେମ ଦେଖିପାରିବେ।
କ୍ବାଲିଟି ଟାଇମ୍ ବିତାନ୍ତୁ
ଝଗଡ଼ାର ସବୁଠାରୁ ବଡ଼ କାରଣ ଭୁଲ୍ ବୁଝାମଣା ଓ ପାର୍ଟନରଙ୍କୁ ସମୟ ନ ଦେବା। ଏପରିସ୍ଥଳେ ନିଜର ବ୍ୟସ୍ତ ବହୁଳ ସମୟରୁ ପାର୍ଟନରଙ୍କ ପାଇଁ କିଛି ସମୟ ବାହାର କରନ୍ତୁ। ତାଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରିବେ। ରୋମାଣ୍ଟିକ୍ ସ୍ଥାନକୁ ଯାଇ ଏକାଠି ସମୟ ବିତାନ୍ତୁ। କଥା ହୋଇ ଭୁଲ୍ ବୁଝାମଣା ଦୂର କରନ୍ତୁ। ନିଜେ କମ୍ କଥା କହି ପାର୍ଟନରଙ୍କ କଥା ଅଧିକ ଶୁଣନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ସମ୍ପର୍କରେ ଆରମ୍ଭ ହୋଇଥିବା ସମସ୍ୟା ଶୀଘ୍ର ଦୂର ହୋଇଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ