ଅଗ୍ନିକାଣ୍ଡରେ ୨ ବଖରା ଘର ପୋଡି
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପଂଚାୟତ ଶିଖର ଗ୍ରାମର ପ୍ରଶାନ୍ତ ବାରିକଙ୍କ ଘରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୨ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି । କିପରି ଅଗ୍ନିକାଣ୍ଡ ଘଟିଲା ଜଣାପଡି ନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଘଟିବା ପରେ ନିଆଁ କୁ ଆୟତ କରି ନପାରିବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଗାଡି ପହଂଚି ନିଆଁକୁ ଆୟତ କଲା ବେଳକୁ ପ୍ରଶାନ୍ତଙ୍କର ଘରେ ଥିବା ସମସ୍ତ ଆସବାବ ପତ୍ର ସହ ଧାନ ,ଚାଉଳ ଆଦି ପୋଡି ନଷ୍ଟ ହୋଇ ଯାଇଥିଲା । ଖବର ପାଇଁ ନାଉଗାଁ ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ନାଥ ନାୟକ ପହଂଚି କ୍ଷୟକ୍ଷତିର ଆକଳନ କରିଥିବା ଜଣାଯାଇଛି । ପ୍ରଶାନ୍ତ ଜଣେ ଗରିବ ଲୋକ ହୋଇଥିବାରୁ ତାଙ୍କୁ ଯଥା ଶୀଘ୍ର ସରକାରୀ ସାହାର୍ଯ୍ୟ ଯୋଗଇ ଦେବା ପାଇଁ ଗ୍ରାମାବାସୀଙ୍କ ତରଫରୁ ଦାବି କରାଯାଇଛି ।