ବନ୍ଦ ହେବନି ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ: ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବ ନାହିଁ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଗତ ବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଚଳିତ ବର୍ଷ ବି ଉକ୍ତ ସ୍କୁଲରେ ନାମ ଲେଖା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଏହାଛଡ଼ା ଆସନ୍ତା ସୋମବାର ଠାରୁ ଜୁଲାଇ ୧୫ ଯାଏଁ ନାମଲେଖା ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ପ୍ରକାଶ ଯେ, କୋଭିଡ-୧୯ ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଶା ଆଶଙ୍କା ଦେଇ ଗତି କରୁଛି । ଏ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ସ୍ୱାଭାବିକ ସ୍ଥିତି ହୋଇପାରିନି । ଆହୁରି କେତେ ଦିନ ଲାଗିବ, ତାହା କହିବା ବି ମୁସ୍କିଲ । ତେବେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ନାମଲେଖା ଦିଗରେ ପଦକ୍ଷେପ ନେଇଛି ବିଦ୍ୟାଳୟ ଗଣଶିକ୍ଷା ବିଭାଗ । ଜୁଲାଇ ୧୫ ସୁଦ୍ଧା ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମ ଲେଖା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କହିଛନ୍ତି ଯେ ପ୍ରତିଦିନ ସକାଳ ୭ଟାରୁ ୯ଟା୩୦ ମଧ୍ୟରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । ଗୋଟିଏ ସମୟରେ ୫ ରୁ ଅଧିକ ଅଭିଭାବକ / ଛାତ୍ରଛାତ୍ରୀ ସ୍କୁଲକୁ ନାମ ଲେଖାଇବାକୁ ଅନୁମତି ଦିଆଯିବ ନାହିଁ । ସ୍କୁଲରେ ନାମ ଲେଖାଇବା ଲାଗି ଛାତ୍ରଛାତ୍ରୀ / ଅଭିଭାବକ ଯେତେବେଳେ ବିଦ୍ୟାଳୟକୁ ଆସିବେ, ସେତେବେଳେ ସେମାନେ ଯେପରି କୋଭିଡ-୧୯ ଗାଇଡଲାଇନ ପାଳନ କରୁଥିବେ । ସେଥିପ୍ରତି ସ୍କୁଲର ପ୍ରଧାନଶିକ୍ଷକ/ ପ୍ରଧାନଶିକ୍ଷୟିତ୍ରୀ ଦୃଷ୍ଟି ଦେବେ । ସ୍କୁଲକୁ ଆସିବା ବେଳେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ । ଛାତ୍ରଛାତ୍ରୀ / ଅଭିଭାବକଙ୍କ ଲାଗି ସ୍କୁଲ ନୋଟିସ ବୋର୍ଡରେ ସମସ୍ତ ନିର୍ଦ୍ଦେଶାବଳୀ ରହିବ । ଏଥିସହ ନିର୍ଦ୍ଦେଶାବଳୀକୁ ହ୍ୱାଟସ ଆପ ମାଧ୍ୟମରେ ଛାତ୍ରଛାତ୍ରୀ / ଅଭିଭାବକ / ସିଆରସିସିକୁ ପଠାଯିବ । ନାମଲେଖା ଅନ୍ୟ ନିୟମାବଳୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଏହି ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଲାଗି ଲାଗୁ ହେବ । ବିଭାଗ ଅଧୀନରେ ଥିବା ମାଦ୍ରାସା ଓ ସଂସ୍କୃତ ଟୋଲଗୁଡ଼ିକରେ ବି ଏହି ନିୟମ ଲାଗୁ କରାଯିବ ।


