ଥଣ୍ଡାପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିବା ମାମଲା: ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଜି ଗଜପତି ଜିଲ୍ଲା  ଅତିରିକ୍ତ ଜିଲ୍ଲା ସେସନ ଜଜ ହର ପ୍ରସାଦ ପଟ୍ଟନାୟକ ପୋକ୍ସୋ ଆକ୍ଟର ଧାରା ୬ରେ ମୋହନା ଥାନା ଅନ୍ତର୍ଗତ ସିଙ୍କୁଳିପଦର ଗ୍ରାମର ଅଭିଯୁକ୍ତ ରାଜେନ୍ଦ୍ର ଜାନୀ(୨୬ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ତିନି ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଅପହରଣ ପାଇଁ ରହିଥିବା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୬୩ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ତିନି ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି  ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ଏତଦବ୍ୟତୀତ ଜୀବନରେ ମାରିବାକୁ ଧମକ ଦେବା ନିମନ୍ତେ ରହିଥିବା ଧାରା ୫୦୬ ଅନୁଯାୟୀ ୨ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ନ୍ୟାୟାଧୀଶ। ସେହିପରି ଏହି ସମ୍ବେଦନଶୀଳ ମାମଲାରେ ବିଚାରପତି ନିଜ ରାୟରେ ରାଜ୍ୟ ସରକାରଙ୍କ ତରଫରୁ ପିଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ସାତ ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରିବା ସହ ପୋକ୍ସୋ ଧାରାରେ ଯେଉଁ ଜୋରିମାନା ରାଶି ଧାର୍ଯ୍ୟ କରାଯାଇଛି ସେହି ଜୋରିମାନାର ସମ୍ପୂର୍ଣ୍ଣ ରାଶି ପିଡିତାଙ୍କୁ ଦେବା ନିମନ୍ତେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ୍ ପୃଥ୍ୱୀରାଜ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।  ସୂଚନାଯୋଗ୍ୟ, ତା ୧୦-୦୨-୨୦୨୪ରିଖ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଏତଲାକାରି ବାପା ନିଜ ନାବାଳିକା ଝିଅ ସହ ଚାନ୍ଦିପୁଟ ହାଟକୁ ପରିବା କିଣିବାକୁ ଯାଇଥିଲେ, ସେତେବେଳେ ଏତଲାକାରିଙ୍କ ଅଜାଣତରେ ତାଙ୍କ ଝିଅ କୁଆଡେ ଚାଲିଯାଇଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ, ହାଟରୁ ଅଭିଯୁକ୍ତଜଣଙ୍କ ତାଙ୍କୁ ଘରେ ଛାଡ଼ି ଦେବା କଥା କହି ତାଙ୍କୁ ଗାଡ଼ିରେ ପିଣ୍ଡିକି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ନେଇ ଥଣ୍ଡାପାନୀୟରେ ନିଶା ଦେଇ ତାଙ୍କ ସହ ଅସଦାଚରଣ ଓ ଦୁଷ୍କର୍ମ କରିବା ପରେ ପିଡ଼ିତାଙ୍କୁ ଆଣି ତାଙ୍କ ଘରେ ଛାଡ଼ିଦେଇଥିଲେ ଓ କାହା ଆଗରେ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ସୂଚନାଯୋଗ୍ୟ, ସେହି ସମୟରେ ଏତଲାକାରୀଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବାରୁ ଦଶାହ କାର୍ଯ୍ୟ ସରିବା ପରେ ତା ୧୯-୦୨-୨୦୨୪ରେ ମୋହନା ଥାନାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତଲାକାରି ଏକ ସଙ୍ଗିନ ମାମଲା ଦାୟର କରିଥିଲେ, ଯାହାକି ମାମଲା ନମ୍ବର ୪୦ ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ସବ-ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ବରାଳ ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୧୯ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୨୮ଟି ଦସ୍ତାବିଜକୁ ଆଧାର କରି ସର୍ବଶେଷରେ ଏହି ଦୃଷ୍ଟାନ୍ତମୂଳକ ରାୟ ନ୍ୟାୟାଧୀଶ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ