ବିପଦଜନକ ଅବସ୍ଥାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଲେଜର ଛାତ୍ରବାସ : ଉଦବେଗ ପ୍ରକାଶ କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଠାରେ ଥିବା ଶତାୟୁରୁ ଉର୍ଦ୍ଧ ବହୁ ପୁରାତନ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଛାତ୍ରାବାସ ଅତ୍ୟନ୍ତ ବିପଦ ସଂକୁଳ ଭାବେ ରହିଥିବା ଦେଖି ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି. ଆଜି ଏହି ପୁରାତନ ଛାତ୍ରବାସର ସ୍ଥିତି ଅନୁଧ୍ୟାନ ପାଇଁ ଛାତ୍ରବାସରେ ପହଞ୍ଚି ସବୁ କିଛି ପରିଦର୍ଶନ କରିବା ସହ ଏଠାରେ ରହୁଥିବା ଛାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଦେଶ ସ୍ବାଧୀନ ହେବାର ୩୫ ବର୍ଷ ପୂର୍ବେ ୧୯୧୨ ମସିହାରେ ପାରଳା ମହାରାଜା ନିର୍ମାଣ କରିଥିଲେ ଏହି ଛାତ୍ରାବାସ. କଲେଜ ସ୍ଥାପନ କରିବା ସହିତ ଦୂର ଦୂରାନ୍ତରୁ କଲେଜ ପାଠ ପଢିବା ପାଇଁ ଆସୁଥିବା ୧୨୦ରୁ ଉର୍ଦ୍ଧ୍ବ ଛାତ୍ରଙ୍କ ରହିବା ଖାଇବା ବ୍ୟବସ୍ଥା ପାଇଁ ୪୨ କୋଠରୀ ବିଶିଷ୍ଟ ଛାତ୍ରାବାସ ନିର୍ମାଣ କରିଥିଲେ ଗଜପତି ମହାରାଜ। ହେଲେ ଏବେ ଏହାର ରକ୍ଷଣାବେକ୍ଷଣର ଅଭାବ ଦେଖା ଦେଇଛି। ଅନେକ ବର୍ଷ ହେଲା କୋଠରୀ ଗୁଡିକରେ ଚୂନ ଦିଆଯାଇ ନଥିବା ବେଳେ ହୋଷ୍ଟେଲ ପରିସର ଘାସ ବୁଦାରେ ପରିପୂର୍ଣ୍ଣ ହୋଇ ଅତ୍ୟନ୍ତ ବିପଦ ସଂକୁଳ ହୋଇରହିଛି. ଏଥିସହ ଛାତ୍ରବାସର ପରିସରରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନାହିଁ, ଶୈଚାଳୟ ଓ ଗାଧୁଆଘର ଦୟନୀୟ ହୋଇ ପଡ଼ିଛି। ଖେଳକୁଦ ପାଇଁ ଅନ୍ତେବାସୀଙ୍କ ପାଇଁ ପ୍ରୋତ୍ସାହନ ନାହିଁ। ଏଭଳି ବିଭିନ୍ନ ସମସ୍ୟା ମଧ୍ୟରେ ଛାତ୍ରମାନେ ଏହି ଛାତ୍ରରାବାସରେ ରହି ପାଠପଢୁଛନ୍ତି। ଆଜି ଯାଏଁ କୈଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଏଠାକାର ସମସ୍ୟା ଉପରେ ଦୃଷ୍ଟି ଦେଇ ନଥିବା ସ୍ଥଳେ ପାରଳା ବିଧାୟକ ହଠାତ୍ ଛାତ୍ରାବାସ ଭିତରେ ପ୍ରବେଶ କରି କୋଠରୀ ଗୁଡିକ, ରୋଷେଇ ଘର, ଶୈଚାଳୟ, ଗାଧୁଆଘର ବୁଲି ଦେଖିବା ସହ ଅନ୍ତେବାସୀ ଓ ହୋଷ୍ଟେଲ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଛାତ୍ରାବାସର ସମସ୍ୟାର ସମାଧାନ ଓ ଏହାର ପୁନରୁଦ୍ଧାର ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ବିଧାୟକ।


