ଛେଳି ଚୋର ସନ୍ଦେହରେ ପିଟିପିଟି ମାରିଦେଲେ
ବାରିପଦା: ଛେଳି ଚୋରି କରିଥିବା ଯୁବକଙ୍କୁ କାଠଗଣ୍ଡିରେ ବାନ୍ଧି ପିଟିପିଟି ମାରିଦେଲେ ୫ ଅଭିଯୁକ୍ତ । ଏଭଳି ବର୍ବର ଚିତ୍ର ବାରିପଦା ଟାଉନ ଥାନା ଅନ୍ତର୍ଗତ ପାଲବଣି ଅଞ୍ଚଳରେ ଦେଖିବାକୁ ମଳିଛି । ବାରିପଦା ପୌରାଞ୍ଚଳ ୨୫ ନମ୍ବର ୱାର୍ଡ ପାଲବଣିରେ ରହୁଛନ୍ତି ରବି କାଳନ୍ଦି (୫୦) । ପାଲବଣି ଛକ ନିକଟରେ ରବି ଟ୍ରଲି ଚଳାଇ ପରିବାର ପୋଷନ୍ତି । ସକାଳେ ରବି ଉକ୍ତ ଅଞ୍ଚଳର ପବନା ବାସ୍କେଙ୍କ ଘରୁ ଏକ ଛେଳି ଚୋରି କରି ନେଇ ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୋଷାରୋପ କରିବା ସହ ପବନା ନିଜ ଘର ନିକଟରେ ରବିଙ୍କୁ ଅଟକାଇଥିଲେ । ସପନ ସିଂ (୨୫), ଟାଙ୍ଗରୁ ଦେହୁରୀ ଓ ଅନ୍ୟ ଦୁଇ ଜଣ ନାବାଳକଙ୍କ ସହ ମିଶି ସେଠାରେ ପଡ଼ିଥିବା ଏକ କାଠଗଣ୍ଡିରେ ତାଙ୍କୁ ବାନ୍ଧି ପକାଇଥିଲେ । ଏହା ପରେ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ରବିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇଁ ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ପୁଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପବନା ଓ ସପନଙ୍କୁ ଗିରଫ କରିଥିଲେ । ଅନ୍ୟତମ ଅଭିଯୁକ୍ତ ଟଙ୍ଗରା ଓ ଦୁଇ ଜଣ ନାବାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଅନ୍ୟ ପକ୍ଷରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଆଇଆଇସି ଶ୍ରୀ ସେନାପତି ସୂଚନା ଦେଇଛନ୍ତି । ସାମାନ୍ୟ ଛେଳି ଚୋରକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ବାଡେ଼ଈ ବାଡେ଼ଇ ମାରିଦେବା ଘଟଣା ସାରା ସହରରେ ଆଲୋଡ଼ନ ସୃଷ୍ଟି କରିଝି । ଏହି ଘଟଣାକୁ ଅଧିକ ଭାବଗମ୍ଭୀର କରିଦେଇଛି ମା’ଦୂରଙ୍କ କାନ୍ଦଣା । ସେ ବାରମ୍ବାର ଦୋହରାଇ କହୁଥିଲେ ‘ମୋ ପୁଅ ଟ୍ରଲି ଚଲାଇ ତା ପରିବାର ପୋଷୁଥିଲା । ସେ ନିଶା ଖାଉଥିଲା ସତ, ହେଲେ କେବେ ଚୋରି କରିନଥିବ । ସେମାନେ ମିଛ ଆରୋପ ଲଗାଇ ମୋ ପୁଅକୁ ପିଟି ପିଟି ମାରିଦେଲେ ।’


