ଦୁର୍ଦ୍ଦଶାରେ ଠେଲାଗାଡ଼ି ବ୍ୟବସାୟୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମର ଛକ ସ୍ଥାନରେ ୨ଶହରୁ ଉର୍ଦ୍ଧ୍ୱ ବ୍ୟବସାୟୀ ସନ୍ଧ୍ୟା ସମୟରେ ଠେଲାଗାଡ଼ିରେ ଜଳଖିଆ ଓ ପାଷ୍ଟଫୁଡ଼୍ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ପରଠାରୁ ଏମାନେ ଦୋକାନ ଖୋଲି ବ୍ୟବସାୟ କରିବା ସମ୍ଭବ ହେଉନାହିଁ । ଗତ ୨ମାସରୁ ଅଧିକ ଦିନ ଧରି ବ୍ୟବସାୟ ବନ୍ଦ ହେବା ସହ ଠେଲାଗାଡ଼ି ଗଡୁନଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ିବା ସହ ଠେଲାଗାଡ଼ି ଗୁଡ଼ିକ ମଧ୍ୟ ନଷ୍ଟ ହେବାକୁ ବସିଲାଣି । ୪ର୍ଥ ପର୍ଯ୍ୟାୟ ଲକଡ଼ାଉନରେ କଟକଣାରେ କିଛିଟା ପରିବର୍ତନ କରାଯାଇଥିଲେ ମଧ୍ୟ ଚାହା ଓ ଫାଷ୍ଟଫୁଡ଼ ଦୋକାନ ଖୋଲିବା ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିନାହିଁ । ଭାବିଥିଲେ ଜୁନ ପହିଲାରୁ ଦୋକାନ ବଜାର ଖୋଲିବ, ବ୍ୟବସାୟ ଆରମ୍ଭ ହେବ । ଜୁନ ପହିଲାରୁ ଅନଲକ-୧ କାର୍ଯ୍ୟକାରୀ କରାଯାଇଛି । ହେଲେ ଠେଲାଗାଡ଼ିରେ ବ୍ୟବସାୟ କରୁଥିବା ଜଳଖିଆ ଓ ଫାଷ୍ଟଫୁଡ଼ ଦୋକାନ ଖୋଲିବା ସକାଶେ ପ୍ରଶାସନ ଅନୁମତି ପ୍ରଦାନ କରିନାହିଁ । ଫଳରେ ସେମାନଙ୍କ ଆଶା ଆଶାରେ ହିଁ ରହିଗଲା । ଜୁନ ପହିଲାରୁ ଅନଲକ-୧ କାର୍ଯ୍ୟକାରୀ କରାଯିବା ପରେ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ଶନିବାର ଓ ରବିବାର ସଡଟଡ଼ାଉନ ଘୋଷଣା କରାଯିବା ସହ ସମସ୍ତ ଦିନରେ ସନ୍ଧ୍ୟା ୭ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି । ଏହା ଶୁଣିବା ପରେ ସଂପୃକ୍ତ ବ୍ୟବସାୟୀ ମାନେ ଚିନ୍ତା ବଢିବାରେ ଲାଗିଛି । ଦୀର୍ଘ ୩ମାସ ଧରି ବ୍ୟବସାୟ ବନ୍ଦ ରହିଲେ ପରିବାର କିପରି ପ୍ରତିପୋଷଣ କରିବେ, ସେ ଚିନ୍ତା ଘାରିଛି । କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ସରକାର ୧୫ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଯାହାକି ସମୁଦ୍ରକୁ ସଙ୍ଖେ ସଦୃଶ୍ୟ । ବର୍ତମାନ ପରିସ୍ଥିତିରେ ପରିବାର କିପରି ପ୍ରତିପୋଷଣ କରିବେ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ତମାନ ପରିସ୍ଥିତିରେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଦ୍ୱିଗୁଣିତ ହେବାରେ ଲାଗିଛି । ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ଅଂଚଳର ଠେଲାଗାଡ଼ିରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ସ୍ଥାନୀୟ ଅଂଚଳର ୨ଶହରୁ ଉର୍ଦ୍ଧ୍ୱ କ୍ଷୁଦ୍ର ବ୍ୟବସାୟୀ ନିବେଦନ କରିଛନ୍ତି । ଆଗାମୀ ଦିନରେ ଏ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ସଜବାଜ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ