ଇମାମୀ ନଗର ଶ୍ରୀଜଗନ୍ନାଥଙ୍କର ବାହୁଡ଼ାଯାତ୍ରା ସମ୍ପନ୍ନ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ): ବାଲେଶ୍ୱର ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗର ଶ୍ରୀଜୀଉମାନଙ୍କର ଶ୍ରୀମନ୍ଦିରକୁ ବାହୁଡ଼ାଯାତ୍ରା ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଭାତରୁ ଶ୍ରୀଜୀଉମାନେ ବିଜେ କରିଥିବା ଗୁଣ୍ଡିଚା ମନ୍ଦିରରେ ସମସ୍ତ ରୀତିନୀତି ଓ ପୂଜାର୍ଚ୍ଚନା ପରେ ଆଡ଼ପ ମଣ୍ଡପର ରତ୍ନବେଦୀରୁ ତିନିଠାକୁର ଓ ଶ୍ରୀ ସୁଦର୍ଶନକୁ ପହଣ୍ଡି ବିଜେ କରାଯାଇ ରଥ ଉପରକୁ ଘଣ୍ଟ, ଘଣ୍ଟା, ଘଡ଼ି, ମୃଦଙ୍ଗ, କରତାଳ ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମରେ ବିରାଟ ପଟୁଆରରେ ଅଣାଯାଇଥିଲା । ପ୍ରାତଃ କାଳରେ ଦ୍ୱାରଫିଟା, ମଙ୍ଗଳ ଆଳତି, ମୈଲମ, ପ୍ରଥମ ଧୂପ, ଆରତି, ରାଜାଭିଷେକ, ମଙ୍ଗଳାର୍ପଣ, ଗୋଟିପହଣ୍ଡି ପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ଲକ୍ଷାଧିକ ଭକ୍ତମାନଙ୍କର ‘ଜୟ ଜଗନ୍ନାଥ’ ଧ୍ୱନି, ଶଙ୍ଖ, ହୁଳହୁଳି ନାଦ, ବାଦ୍ୟ ଓ ନୃତ୍ୟର ତାଳେତାଳେ ରଥାରୁଢ଼ କରାଯାଇଥିଲା । ରଥ ଉପରେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଛେରାପହଁରା କରାଯାଇଥିଲା । ଛେରାପହଁରା ସମାପନଦ୍ୱାରା ଲକ୍ଷାଧିକ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସର ସହିତ ରଥ ଦଉଡ଼ି ଟାଣିଟାଣି ଶ୍ରୀମନ୍ଦିରକୁ ନେଇଯାଇଥିଲେ । ରଥ, ପଥ, ମତ, ଦିଅଁ ଓ ଭକ୍ତ ଆଜି ଯେପରି ଏକ ଓ ଅଭିନ୍ନ ହୋଇଯାଇଥିଲେ ଇମାମୀ ନଗର ବଡ଼ଦାଣ୍ଡରେ । ବଡ଼ଦେଉଳରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଓ ବଡ଼ଦେଉଳକୁ ପ୍ରତ୍ୟାବର୍ତ୍ତନ ମଧ୍ୟରେ ସତେଯେପରି ଜଗତର ନାଥ ସାଧାରଣ ମଣିଷର ଆପଣାର ଓ ଅଭିନ୍ନ ପାଲଟିଯାଇଥିଲେ । ରଥଟଣା ସମାପନ ପରେ ପହଣ୍ଡିବିଜେରେ ଶ୍ରୀଜୀଉମାନଙ୍କୁ ଇମାମୀ ନଗର ଶ୍ରୀଜଗନ୍ନାଥ ମନ୍ଦିରକୁ ନିଆଯାଇ ରତ୍ନବେଦୀରେ ଆସୀନ କରାଯାଇଥିଲା । ରଥଟଣା ଉତ୍ସବରେ ଇମାମୀ ଗ୍ରୁପ୍ର ଅନ୍ୟତମ ନିର୍ଦ୍ଦେଶକ ତଥା ଶ୍ରୀଜଗନ୍ନାଥ ମନ୍ଦିରପ୍ରଶାସନର ମୁଖ୍ୟ ପୁରୋଧା ଶ୍ରୀ ସୁଶୀଲ କୁମାର ଗୋୟେଙ୍କାଙ୍କ ସମେତ ବହୁ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ପରିବାର ପରିଜନ ଉପସ୍ଥିତ ଥିଲେ । ଇମାମୀ ପେପର ମିଲ୍ସର ନିର୍ଦ୍ଦେଶକ ଏମ୍.ବି.ଏସ୍.ନାୟାର, ବରିଷ୍ଠ ସଭାପତି ସୁଶୀଲ କୁମାର ଖୈତାନ ସମେତ ମନ୍ଦିର ପ୍ରଶାସନର ବହୁ ପଦାଧିକାରୀ, କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗ, ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତି ତଥା ପ୍ରଶାସନିକ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଟିମ୍ ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପରିମିତ କରିଥିଲେ । ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପାନୀୟଜଳ ବ୍ୟବସ୍ଥା, ଡ୍ରୋନ୍ କ୍ୟାମେରା ବ୍ୟବସ୍ଥା, ସୁଗନ୍ଧିତ ଜଳସିଞ୍ଚନ, ସାଙ୍ଗକୁ ସ୍ଥାନୀୟ ରେମୁଣା ପୋଲିସ୍ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ସୁଚାରୁ ରୂପେ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପୁରୋଧା ଶ୍ରୀ ସୁଶୀଲ କୁମାର ଗୋୟେଙ୍କା, ଇମାମୀ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପି.ଏସ୍. ପଟୱାରୀ, ସ୍ଥାନୀୟ ନିର୍ଦ୍ଦେଶକ ଶ୍ରୀ ଏମ୍.ବି.ଏସ୍. ନାୟାର, ବରିଷ୍ଠ ସଭାପତି ଶ୍ରୀ ସୁଶୀଲ କୁମାର ଖୈତାନ, ବରିଷ୍ଠ ଉପସଭାପତି ଆଶିଷ୍ ଏ. ଗୁପ୍ତା, ମହାପ୍ରବନ୍ଧକ ଶ୍ରୀ ରଞ୍ଜନ କୁମାର ଜେନା, ଶ୍ରୀ ଆର.କେ. ମିତ୍ତଲ୍, ଶ୍ରୀ ଓମ୍ ପ୍ରକାଶ ଶର୍ମା, ଶ୍ରୀ ନିଖିଲ ରଞ୍ଜନ ଦାସସାମନ୍ତରାୟ, ରମେଶ ଚନ୍ଦ୍ର ଖୁଣ୍ଟିଆ, ଦେବବ୍ରତ ହୋତା, ରାଜୁ ମୁନ୍ଦ୍ରା ମନ୍ଦିର ପ୍ରଶାସନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ସିଂହସାମନ୍ତ, ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର, ସ୍ଥାନୀୟ ସମାଜସେବୀ ଓ ବୁଦ୍ଧିଜୀବୀ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଏହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଏ.ଜି.ଏମ୍. ତଥା ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ୧୩ ତାରିଖ ଶନିବାର ଘ.୮.୩୦ମି. ଠାରୁ ଶ୍ରୀଜୀଉମାନେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନଦେବେ ବୋଲି କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଉକ୍ତ ବାହୁଡ଼ାଯାତ୍ରାରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ଥାନୀୟ ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା, ନୀଳଗିରି ଏସ୍.ଡି.ପି.ଓ. ଶ୍ରୀଯୁକ୍ତ ସୁଦାମ ଚରଣ ପାତ୍ର, ରେମୁଣା ଆଇ.ଆଇ.ସି. ଶ୍ରୀଯୁକ୍ତ ରଣଜିତ୍ କୁମାର ସାହୁ ଯୋଗଦେଇଥିବାବେଳେ ଓଡ଼ିଶା ଚଳଚ୍ଚିତ୍ର ଜଗତର ତାରକା ତଥା ହିରୋଇନ୍ ଜିନା ସାମଲ୍ ଓ ହିରୋ ରୁଦ୍ର ପାଣିଗ୍ରାହୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।