ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅବସରରେ ଶପଥଗ୍ରହଣ ସମାରୋହ
ବାଲେଶ୍ଵର (ସରୋଜ ପଣ୍ଡା): ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି ବାଲେଶ୍ୱର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ ଅଡିଟୋରିୟମ କକ୍ଷଠାରେ ଏକ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଉଦବୋଧନ ଦେଇଥିଲେ। ଏହି ଅବସରରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଢ଼ିବା ନିମନ୍ତେ ଶପଥଗ୍ରହଣ କରାଯାଇଥିଲା ।
ଏହି ଶୁଭ ଅବସରରେ ମୁଖ୍ୟ ଅତିଥିଭାବେ ଉପ-ସଚିବ ଶ୍ରୀଯୁକ୍ତ ପଙ୍କଜ କୁମାର ଧଳ, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟ କୁମାର ରାଉତରାୟ, ପ୍ରୋଟେକ୍ସନ ଅଧିକାରିଣୀ ଶ୍ରୀମତୀ ଯୁଥିକାରାଣୀ ରାୟ, ପ୍ରୋଗ୍ରାମ ଅଧିକାରିଣୀ ଶ୍ରୀମତୀ ଗିରିବାଲା ମହାନ୍ତ, ପ୍ରୋଗ୍ରାମ ଅଧିକାରିଣୀ ଜୟନ୍ତୀ ମିଶ୍ର, ଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗହିରଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ମଞ୍ଚାସୀନ ଥିଲେ । ଶିଶୁ ଆମ ସମାଜର ସ୍ୱର୍ଣ୍ଣିମ ଭବିଷ୍ୟତ, ସେମାନେ ବିକଶିତ ହେବା ପୂର୍ବରୁ ସେମାନଙ୍କୁ ଦଳିମକଚି ନଷ୍ଟ କରିଦିଆଯାଉଛି। ସେମାନଙ୍କୁ ସେମାନଙ୍କର ଅଧିକାର ଓ ସ୍ୱାଧୀନ ଜୀବନ ଗଢ଼ିବାର ସୁଯୋଗକୁ ଦେବା ଦରକାର। ବାଲ୍ୟ ବିବାହ କେବଳ ଆଇନଗତ ଅପରାଧ ନୁହେଁ ବରଂ ଏହା ଝିଅମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସୁନ୍ଦର ଭବିଷ୍ୟତ ପ୍ରଦାନ କରିବାରେ ବାଧା ସୃଷ୍ଟି କରାଏ। ଏଣୁ ଏହି ଅଭିଯାନକୁ ଆଜିର ଦିନରେ ସୀମିତ ନ ରଖି ଏହାକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାରେ ଆମ ସମସ୍ତଙ୍କର ସାମୁହିକ ଦାୟିତ୍ଵ ଓ କର୍ତ୍ତବ୍ୟ ଅଟେ । ଏହି ଅଭିଯାନକୁ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲାର ସମସ୍ତ ପଞ୍ଚାୟତରେ ପାଳନ କରାଯାଇଛି।
ଏହି ଅଭିଯାନକୁ ସଫଳ କରିବା ଦିଗରେ ଜିଲ୍ଲାର ସମସ୍ତ ଶିଶୁ ପ୍ରକଳ୍ପ ଅଧିକାରିଣୀ, ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, କିଶୋରୀ ବାଳିକା, ପୁରୋହିତ, ମୌଲବୀ, ବିବାହ ଆୟୋଜକ, ଟେଣ୍ଟ ହାଉସ ମାଲିକ, ଗାଡ଼ି ମାଲିକ, ଫୁଲ ଦୋକାନୀ, ଏକକ ସହାୟତା କେନ୍ଦ୍ରର କର୍ମକର୍ତ୍ତା, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମକର୍ତ୍ତା, ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟଳୟର କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ (ମମତା) ବାମଦେବ ପାଣିଗ୍ରାହୀ ମଞ୍ଚ ସଞ୍ଚାଳନ କରିଥିଲେ ଓ ମହିଳା ସଶକ୍ତିକରଣ କାର୍ଯ୍ୟଳୟର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାଲ ଧନ୍ୟବାଦ ଦେଇ ଆଜିକାର କାର୍ଯ୍ୟକ୍ରମକୁ ସମାପନ କରିଥିଲେ।


