‘କରୋନା ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କର’
ଭୁବନେଶ୍ୱର: କରୋନା ବିରୋଧରେ ଲଢ଼ିବ ସାରା ଓଡ଼ିଶା । କରୋନାକୁ ହରାଇବାକୁ ସମସ୍ତ ଜନସାଧାରଣ ଜଣେ ଲେଖାଏଁ ଯୋଦ୍ଧାର ଭୂମିକା ତୁଲାଇବେ । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତି ୱାର୍ଡରେ କରୋନା ବିରୋଧରେ ଲଢେ଼ଇ ହେବ । ଏ ନେଇ ରାଜ୍ୟବ୍ୟାପୀ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ଲୋକସେବା ଭବନରେ କରୋନା ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଏଥିରେ ନିର୍ଦ୍ଦେଶ ଦେଲେ, କରୋନା ନେଇ ସବୁ ସହର ଓ ଗାଁରେ ବ୍ୟାପକ ସଚେତନତା କରାଯିବା ଦରକାର । ‘ମୁଁ ବି କୋଭିଡ ଯୋଦ୍ଧା’ କାର୍ଯ୍ୟକ୍ରମର ପ୍ରଚାର, ପ୍ରସାରକୁ ଆହୁରି ତ୍ୱରାନ୍ୱିତ କରାଯାଉ । ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ, ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ନଗର ଉନ୍ନୟନ ବିଭାଗ, କୃଷି ବିଭାଗ ଏ ଦିଗରେ ସକ୍ରିୟ ଭାବେ କାମ କରିବାକୁ କୁହାଯାଇଛି । ସପ୍ତାହକ ମଧ୍ୟରେ ଉଭୟ ଗ୍ରାମ ଓ ସହରରେ ୱାର୍ଡ ସ୍ତରୀୟ କୋଭିଡ କମିଟି ବୈଠକ କରିବାକୁ ସ୍ଥିର ହୋଇଛି । ସଚେତନତା ପାଇଁ ମାଇକ ପ୍ରଚାର, ସୋସିଆଲ ମିଡିଆ, ପୋଷ୍ଟର, ଟିଭି, ଖବରକାଗଜ, କମ୍ୟୁନିଟି ରେଡିଓ, କାର୍ଟୁନ ସୋ, ଆଦିର ବହୁ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି । ଏସଏମଏସ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସୂଚନା ଓ ବାର୍ତ୍ତା ପଠାଯିବ । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ ପ୍ରତିନିଧି, କୃଷକ ଓ ଉତ୍ପାଦକ ସଂଘ, ବନ ସୁରକ୍ଷା ସମିତି, ବିଦ୍ୟାଳୟ କମିଟିଙ୍କୁ ସକ୍ରିୟ ଭାବେ ସମ୍ପୃକ୍ତ କରିବାକୁ ସ୍ଥିର ହୋଇଥିଲା । ସାମାଜିକ ଦୂରତା, ମାସ୍କ ବ୍ୟବହାର, ହାତ ଧୋଇବା, ବୟସ୍କ ଓ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଯତ୍ନ, ସାମାଜିକ ଭେଦଭାବ ଦୂରୀକରଣ ଆଦି ବିଷୟରେ ଗଣମାଧ୍ୟମ ଓ ସୋସିଆଲ ମିଡିଆ ବାର୍ତ୍ତା ପ୍ରସ୍ତୁତ କରିବା ସହ ବ୍ୟାପକ ପ୍ରସାର ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା, ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ, କୃପାସିନ୍ଧୁ ମିଶ୍ର, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।