ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା: ଅକ୍ଟୋବର ୧୨ରୁ ଅଯୋଧ୍ୟା ଓ ବାରାଣସୀ ଯାତ୍ରା
ବାଲେଶ୍ୱର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଅଯୋଧ୍ୟା ଓ ବାରାଣସୀ ତୀର୍ଥସ୍ଥଳୀ ପରିଦର୍ଶନ ପାଇଁ ଆସନ୍ତା ଅକ୍ଟୋବର ୧୨ ତାରିଖରୁ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିବ ବୋଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି। ଏହି ଯୋଜନାରେ ଓଡ଼ିଶାର ପାଞ୍ଚଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁରରୁ ମୋଟ ୭୭୫ ଜଣ ତୀର୍ଥଯାତ୍ରୀ ଏବଂ ୨୫ ଜଣ ଏସ୍କର୍ଟ ବା ସହଯୋଗୀ ଏହି ସ୍ୱତନ୍ତ୍ର ଟ୍ରେନ୍ରେ ଯାତ୍ରା କରିବେ। ବରିଷ୍ଠ ନାଗରିକମାନଙ୍କୁ ଦେଶର ପ୍ରମୁଖ ଧାର୍ମିକ ଓ ତୀର୍ଥସ୍ଥଳୀ ଅଯୋଧ୍ୟା ଏବଂ ବାରାଣସୀ ପରିଦର୍ଶନ କରିବାର ସୁଯୋଗ ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଯାତ୍ରା ସମୟରେ ତୀର୍ଥଯାତ୍ରୀମାନଙ୍କ ସୁବିଧା ଓ ସହଯୋଗ ପାଇଁ ଏସ୍କର୍ଟମାନେ ସାଙ୍ଗରେ ରହିବେ।


