କଲ୍ୟାଣମୟୀ ମା’ ଖମ୍ବେଶ୍ୱରୀ ପୀଠରେ ନବରାତ୍ରୀ ପୂଜା ଆରମ୍ଭ

ଆସିକା(ୱାଇଏନ୍‍ଏସ୍‍) :ଆସିକା ଅଞ୍ଚଳର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ରବିଠାରୁ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ନବରାତ୍ରୀ ପୂଜା ସମୟରେ ମା’ଙ୍କୁ ଦର୍ଶନ କଲେ ଅଧିକ ପୂଣ୍ୟ ମିଳେ ବୋଲି ପରମ୍ପରା ଥିବା ଦୃଷ୍ଟିରୁ ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିଥାଏ । ମା’ ଖମ୍ବେଶ୍ୱରୀଙ୍କ ମହିମା ଯୁଗେ ଯୁଗେ ବର୍ଣ୍ଣନାତୀତ । ବର୍ଷକର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଏହି ନବରାତ୍ରୀର ପ୍ରଥମ ଦିନରେ ଶୈଳପୁତ୍ରୀ ରୂପେ ମା’ ପୂଜିତ ହୋଇଥିଲା ବେଳେ ଦ୍ୱିତୀୟ ରାତ୍ରୀରେ ବ୍ରହ୍ମଚାରିଣୀ, ତୃତୀୟ ରାତ୍ରୀରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ରାତ୍ରୀରେ କୁଷ୍ମାଣ୍ଡ, ପଞ୍ଚମ ରାତ୍ରୀରେ ସ୍କନ୍ଦମାତା, ଷଷ୍ଠ ରାତ୍ରୀରେ କାତ୍ତ୍ୟାୟିନୀ, ସପ୍ତମ ରାତ୍ରୀରେ କାଳରାତ୍ରୀ, ଅଷ୍ଟମ ରାତ୍ରୀରେ ମହାଗୌରୀ ଓ ନବମ ରାତ୍ରୀରେ ସିଦ୍ଧରାତ୍ରୀ ରୂପେ ପୂଜିତ ହେବାର କାର୍ଯ୍ୟକ୍ରମ ରହିଛି । ନବରାତ୍ରୀ ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ଡିପାଠ, ହୋମଯଜ୍ଞ ତଥା ବିଶେଷ ପୂଜାର୍ଚ୍ଚନା ରବିବାର ଠାରୁ ଆରମ୍ଭ ହୋଇଥିବାରୁ ଶକ୍ତିପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ସାଂଧ୍ୟ ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧିପାଇଥିଲା। ଶଙ୍ଖ ଧ୍ୱନୀ, ହୁଳହୁଳି ଓ ଘଣ୍ଟଢ଼ୋଲର ତାଳେ ତାଳେ ଶ୍ରଦ୍ଧାଳୁ ଭକ୍ତମାନେ ବିମୋହିତ ହୋଇ ପଡ଼ୁଥିଲା ବେଳେ ମନ୍ଦିର ଭିତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଓଡିଶାର ସାଂସ୍କୃତିକ ଏନ୍ତୁଡିଶାଳ ରୂପେ ପରିଚିତ ଥିବା ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାକୁ ନେଇ ବାର ମାସରେ ତେର ପର୍ବ ପାଳିତ ହୋଇ ଆସୁଛି । ଭାରତବର୍ଷରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଆସିକା ସହରର ଖମ୍ବେଶ୍ୱରୀ ପାଟଣାରେ ପୂଣ୍ୟତୋୟା ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ମା’ ଖମ୍ବେଶ୍ୱରୀଙ୍କ ପୀଠ ଅନ୍ୟତମ । ମା’ ଖମ୍ବେଶ୍ୱରୀଙ୍କ ଅନେକ ମହିମା ରହିଛି । ଏହି ପୀଠରେ ଭକ୍ତ ଯଦି ନିଜ ହୃଦୟରେ ମା’ଙ୍କୁ ଡାକିଥାଏ ଓ ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହାହେଲେ ମା’ ଖମ୍ବେଶ୍ୱରୀ ନିଶ୍ଚିତ ଭାବେ ଭକ୍ତର ମନକଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ଜଗତଜନନୀ, ଶକ୍ତିପ୍ରଦାୟିନୀ, ମାତୃଶକ୍ତି, କରୁଣାମୟୀ, ଆଦିଶକ୍ତି ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ଇତିହାସ ପ୍ରାଚୀନ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରେ ଆସିକାର ମା’ ଖମ୍ବେଶ୍ୱରୀଙ୍କ ପୀଠ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅନ୍ୟତମ ଆକର୍ଷଣ । ବର୍ଷତମାମ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁମାନେ ମା’ ଖମ୍ବେଶ୍ୱରୀଙ୍କ ଦର୍ଶନ ଓ ଆଶିଷ ଲାଭ କରିବା ନିମନ୍ତେ ଆସିଥାନ୍ତି । ତେବେ ପୂର୍ବ ପରମ୍ପରା ଓ ବିଧିବିଧାନ ଅନୁଯାୟୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ବେଳେ ନବରାତ୍ରୀ ସମୟରେ ମା’ ଖମ୍ବେଶ୍ୱରୀଙ୍କ ନଅ ଦିନ ବ୍ୟାପୀ ସ୍ୱତନ୍ତ୍ର ପୂଜା କରାଯାଉଥିଲା ବେଳେ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥାଏ । ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ଉତ୍ପତ୍ତି ଓ ଆବିର୍ଭାବ ସମ୍ବନ୍ଧରେ ବହୁ ପୁରାଣ ବର୍ଣ୍ଣିତ କଥା, ଉପକଥା, କିମ୍ବଦନ୍ତୀ ଓ ଲୋକକଥା ସାଧାରଣରେ ପ୍ରଚଳିତ ରହିଛି । ଦଶହରା ପର୍ବଠାରୁ ଆରମ୍ଭ କରି ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରରେ ଏହି ଶକ୍ତିପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ନବରାତ୍ରୀ ସମୟରେ ମାଙ୍କ ପୀଠରେ ଅସମ୍ଭବ ଭିଡ ହୋଇଥାଏ । ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ ଓ ଯାତ୍ରା ପରିଚାଳନା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀ ଏହି ଶାରଦୀୟ ନବରାତ୍ରୀ ପୂଜା କାର୍ଯ୍ୟକ୍ରମ କିଭଳି ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ସମାପ୍ତ କରାଯିବ ଓ ଶ୍ରଦ୍ଧାଳୁ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟିର ଅନ୍ୟ ସଭ୍ୟବୃନ୍ଦ ଓ ସହରର ବରିଷ୍ଠ ନାଗରିକ, ପୂଜକ ମାନଙ୍କ ସହ ଆଲୋଚନା କରି ବ୍ୟାପକ ପଦକ୍ଷେପମାନ ଗ୍ରହଣ କରିଥିବା ଜଣାପଡିଛି । ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଶ୍ରଦ୍ଧାଳୁ ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ଖମ୍ବେଶ୍ୱରୀ ପୀଠକୁ ଆସିଥାନ୍ତି । ଜଗତଜନନୀ ମା’ ଖମ୍ବେଶ୍ୱରୀ ପ୍ରସନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମା’ ଖମ୍ବେଶ୍ୱରୀଙ୍କ କରୁଣା ଲାଭ କରିବା ଉଦ୍ଦେଶ୍ୟରେ ଏହି ପୀଠକୁ ଆସିଥାନ୍ତି । ଦୀର୍ଘ ନଅଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନବରାତ୍ରୀ ପୂଜାକୁ ବିଧିବିଧାନ ଅନୁଯାୟୀ ସଂପନ୍ନ କରିବା ଲାଗି ମୁଖ୍ୟ ପୁରୋହିତ ଭାବେ ଛତ୍ରପୁର ନିକଟସ୍ଥ ସିଙ୍ଗିପୁର ଗ୍ରାମର ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବାଚସ୍ପତି ମହେନ୍ଦ୍ର ଶତପଥୀ ଏବଂ ସହଯୋଗୀ ପଣ୍ଡିତ ଭାବେ କବିସୂର୍ଯ୍ୟନଗର ନିକଟସ୍ଥ ଜରଡ ଗ୍ରାମର ବିଦ୍ୱାନ ପଣ୍ଡିତ ସନ୍ତୋଷ କୁମାର ତ୍ରିପାଠୀ ଓ ଚଣ୍ଡିପାଠକ ଭାବେ ବ୍ରହ୍ମପୁର ଅଞ୍ଚଳର ରାଜେନ୍ଦ୍ର ପାଢୀ ନିଷ୍ଠାର ସହ ରହି ଦାୟିତ୍ୱ ତୁଲାଉ ଥିବା ଦେଖିବାକୁ ମିଳୁଛି। ମା ଖମ୍ବେଶ୍ୱରୀଙ୍କ ପୀଠରେ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ନବରାତ୍ର ପୂଜାକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପୂଜକ ସନ୍ୟାସୀ ମୁନି, ଗଣପତି ମୁନି, ନରସିଂହ ମୁନି, ସତ୍ୟନାର‌୍ୟାୟଣ ମୁନି, ସିମାଂଚଳ ମୁନି, ମାଧବ ମୁନି, ଭିକାରୀ ମୁନି, ସଂଜୟ ମୁନି, ପ୍ରମୋଦ ମୁନି, ଟୁଲିଆ ମୁନି, କାଳିଆ ମୁନି, ଢେଲା ମୁନି, ଭେଙ୍କେଟ ମୁନି, ଶ୍ରୀକାନ୍ତ ମୁନି, ନୀଳମାଧବ ମୁନି, ସନ୍ତୋଷ ମୁନି, ଅରବିନ୍ଦ ମୁନି, ସିଲୁ ମୁନି, ଅଜିତ ମୁନି, ପ୍ରସନ୍ନ ମୁନି, ବାବୁଲା ମୁନିିଙ୍କ ସମେତ ସମସ୍ତ ସେବାୟତ ସକ୍ରିୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି। ଆସିକାର ଅଧିଷ୍ଟାତ୍ରୀ ଦେବୀ ମା’ଖମ୍ବେଶ୍ୱରୀଙ୍କ ପୀଠ ସମେତ ମା’ କରଞ୍ଜେଇ , ମା’ଶ୍ୟାମାକାଳୀ, ମା’ ଦଣ୍ଡକାଳୀ, ମା’ବୁଢୀମା ଠାକୁରାଣୀ, ମା ବୈଷ୍ଣୋଦେବୀ ସମେତ ଅନ୍ୟାନ୍ୟ ଶକ୍ତିପୀଠ ଗୁଡିକରେ ରବିବାର ଠାରୁ ଏକ ଆଧ୍ୟାତ୍ମିକମୟ ତଥା ଭକ୍ତିମୟ ପରିବେଶରେ ବିଧିବିଧାନ ଅନୁଯାୟୀ ନବରାତ୍ର ପୂଜା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ