ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ନର୍ସମାନଙ୍କ କାର୍ୟ୍ୟରେ ଅବହେଳା ସହ ଖାମଖିଆଲି ନୀତି ଆଉ କେତେ ଦିନ ଚାଲିବ?
ବାଲେଶ୍ୱର,: (ଯୁଗାଦ୍ଧ ନ୍ୟୁଜ୍) -ବୈଶିଙ୍ଗା ଥାନା ଅନ୍ତର୍ଗତ ପଣସିଆ ଗ୍ରାମର ହରିଶ୍ଚନ୍ଦ୍ର ସାହୁ ଙ୍କ ସ୍ତ୍ରୀ କବିତା ସାହୁ, ଅନ୍ତସତ୍ତ୍ୱା ହେବା ପରେ ସଦର ବ୍ଲକ ଅନ୍ତର୍ଗତ ସିନ୍ଧିଆ ଗ୍ରାମ ପଞ୍ଚାୟତର କେଶରପୁର ଗ୍ରାମରେ ଭଲ ସେବା ଯତ୍ନ ପାଇଁ ନିଜ ଶ୍ୱଶୁର ଘରେ ଛାଡିଥିଲେ ।.୧୩. ତାରିଖ ଭୋରରେ ଗର୍ଭ ଜନୀତ ଯନ୍ତ୍ରଣା ହେବାରୁ ଅଟୋ ରିକ୍ସା ଯୋଗେ ଶ୍ରୀମତୀ ସାହୁଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ସମୟରେ ରାସ୍ତାରେ ପ୍ରସବ ହୋଇ ଏକ ପୁତ୍ର ସନ୍ତାନ ଜନ୍ମଲାଭ କରିଥିଲେ । ପ୍ରସବ ପରବର୍ତ୍ତୀ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଦାଖଲ କରାଇଥିବା ବେଳେ ପୂର୍ବ ରାତି ୧୨ତାରିଖ ରାତି ୯ରୁ ସକାଳ ୮ ପର୍ୟ୍ୟନ୍ତ କାର୍ୟ୍ୟରତ ନର୍ସମାନେ ଶ୍ରୀମତୀ ସାହୁଙ୍କ ରକ୍ତ ପରୀକ୍ଷା କରିଥିବା ବେଳେ ତାଙ୍କୁ ‘ଏଡ୍ସ’ ହୋଇଛି ବୋଲି କହି ୱାର୍ଡରୁ କାଢି ଦେଇଥିଲେ ଏବଂ ବିଭିନ୍ନ କଟୁ ମନ୍ତବ୍ୟ ଦେବା ସହ ତାଙ୍କ ସ୍ୱାମୀ ତାଙ୍କ ପାଖରେ ରୁହନ୍ତି ନା ବାହାରେ ରୁହନ୍ତି କହିବା ସହ ଅନ୍ୟ ପୁରୁଷ ଙ୍କ ସହିତ ଅନୈତିକ ସମ୍ପର୍କ ଅଛି ବୋଲି ବାରମ୍ବାର ପ୍ରଶ୍ନ କରିଥିଲେ । କିନ୍ତୁ ଶ୍ରୀମତୀ ସାହୁ ତାଙ୍କ ସ୍ୱାମୀ ତାଙ୍କ ପାଖରେ ହିଁ ରୁହନ୍ତି ବୋଲି କହିଥିଲେ ମଧ୍ୟ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ । ଗ୍ରାମବାସୀଙ୍କ ଚାପରେ ପରବର୍ତ୍ତୀ ଅବସ୍ଥାରେ ଆଉଥରେ ରକ୍ତ ନମୁନା ପରୀକ୍ଷା କରିବା ପାଇଁ କୁହାଯାଇଥିବା ବେଳେ ରକ୍ତ ପରୀକ୍ଷାରେ ଏଡ୍ସ ହୋଇନଥିବା ବୋଲି କହିବା ସହ ରକ୍ତ ପରୀକ୍ଷାରେ ତ୍ରୁଟି ହୋଇଯାଇଛି କହି ନର୍ସମାନେ ଡ୍ୟୁଟି ସମୟ କଟାଇ ଚାଲିଯାଇଥିଲେ । ଶ୍ରୀମତୀ ସାହୁଙ୍କୁ ଏଡ୍ସ ହୋଇଯାଇଥିବା କଥା ଅଞ୍ଚଳରେ ବ୍ୟାପି ଯାଇଥିବା ଯୋଗୁଁ ତାଙ୍କ ପରିବାରର ଆତ୍ମସମ୍ମାନ କ୍ଷୁର୍ଣ୍ଣ ହୋଇଅଛି । ମାରାତ୍ମକ ରୋଗ ଏଡ୍ସରେ ଆକ୍ରାନ୍ତ ଖବର ଶୁଣି ଶ୍ରୀମତୀ ସାହୁ ନିଜର ଭାରସାମ୍ୟ ହରାଇବା ସହିତ ମାନସିକ ସ୍ତରରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଆତ୍ମହତ୍ୟା କରିବେ ବୋଲି ନିଜର ପରିବାରବର୍ଗ ଓ ଆସିଥିବା ଗ୍ରାମବାସୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଏ ସବୁ ଖବର ଶୁଣିଲା ପରେ ସ୍ୱାମୀ ଭାଗବତ ସାହୁ ଲିଖିତ ଏତାଲା ଚିକିତ୍ସାଳୟ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଓ ଏହାର ଅନ୍ୟ ନକଲ ଜିଲ୍ଲାପାଳ ବାଲେଶ୍ୱର, ସି.ଡି.ଏମ.ଓ ବାଲେଶ୍ୱର, ମାନବ ଅଧିକାରୀଙ୍କ ଅବଗତ ନିମନ୍ତେ ପ୍ରଦାନ କରିବା ସହ ଡ୍ୟୁଟିରେ ଅବହେଳା କରିଥିବା ନର୍ସମାନଙ୍କ ଖାମଖିଆଲି କାର୍ୟ୍ୟକୁ ତଦନ୍ତ କରିବା ସହ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ ।