ମଧୁସୂଦନ ଦାସଙ୍କ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା): ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ମଧୁବାବୁଙ୍କ ଫଟୋଚିତ୍ରରେ ସମୂହ ପୁଷ୍ପମାଲ୍ୟ ଓ ପୁଷ୍ପାର୍ଘ୍ୟ ପ୍ରଦାନ ପରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ମଧୁବାବୁଙ୍କ ରଚିତ କବିତା ମଧ୍ୟ ପାଠ କରାଯାଇଥିଲା। ତାଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ ପୂର୍ବକ ସଂଘ ସଭାପତି, ସାଂସ୍କୃତିକ ସମ୍ପାଦକ ଭାଗବତ ଦଳାଇ, କାମିନୀକାନ୍ତ ପାଢ଼ୀ, ନରେଶ ଚନ୍ଦ୍ର ଦାଶ ପ୍ରମୁଖ ସଦସ୍ୟମାନେ ମଧୁବାବୁଙ୍କ ସଂଘର୍ଷମୟ ଜୀବନ, ଓଡ଼ିଆ ଓ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ନିରନ୍ତର ଉଦ୍ୟମ, ଦେଶରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା, ନାରୀଶିକ୍ଷା ଓ ନାରୀଙ୍କ ଅଧିକାର ନିମନ୍ତେ ଲଢ଼େଇ, ଶିଳ୍ପ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବ୍ୟକ୍ତିଗତ ଉଦ୍ୟମ, ତାଙ୍କର ତ୍ୟାଗ ଓ ସେବା ଭାବ ଆଦି ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ସାହୁ ଅର୍ଥ ସମ୍ପାଦକ ଯୁଧିଷ୍ଠିର ନନ୍ଦ, ଉପଦେଷ୍ଟା ଗୌରପ୍ରିୟ ମିଶ୍ର, ଜ୍ଞାନେନ୍ଦ୍ର ସାହୁ, ଶଚୀନ୍ଦ୍ର ଦାସ, ଅନୁପ ଆଚାର୍ଯ୍ୟ, କାଳିଚରଣ ବେହେରା, ଅମୂଲ୍ୟ ପଟ୍ଟନାୟକ, ଭାସ୍କର ମିଶ୍ର, ସୁରେନ୍ଦ୍ର ଧଳ, କେଶବ ମହାନ୍ତି, ଶ୍ରୀରାମ ଦାଶ, ତପନ ପଣ୍ଡା, ନିରଞ୍ଜନ ପରିଡ଼ା, ସତ୍ୟନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଭବେଶ ଚନ୍ଦ୍ର ପଣ୍ଡା ଓ କ୍ଷେତ୍ରମୋହନ ନାୟକ ପରିଚାଳନାରେ ସହଯୋଗ କରିଥିଲେ। ସାଧାରଣ ସମ୍ପାଦକ ଦାମୋଦର ନାୟକ ମଧୁବାବୁଙ୍କ ଜୀବନ, ଜୀବିକା, ଚିନ୍ତା ଚେତନା ଏପରିକି ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟ ଓଡ଼ିଆ ଓ ଓଡ଼ିଶା ପାଇଁ ସମର୍ପିତ ଥିଲା ବୋଲି ମତବ୍ୟକ୍ତ କରିଥିଲେ। ତାଙ୍କର ସାମଗ୍ରିକ ଗୁଣ ଓ ସେବା ମନୋଭାବ ଆଜିର ଯୁବପିଢ଼ିଙ୍କୁ ଅବଗତ କରାଇବା ସହିତ ସେମାନେ ସେ ସବୁ ଦ୍ୱାରା ଅନୁପ୍ରାଣିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ତାହାହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


