ତାଇକୋଣ୍ଡୋର ଉଦୀୟମାନ ପ୍ରତିଭା ମେରି ସୋରେନଙ୍କୁ ପ୍ରୋତ୍ସାହନ

ବାଲେଶ୍ୱର, (ସରୋଜ କୁମାର ପଣ୍ଡା):ତାଇକୋଣ୍ଡୋର ପ୍ରତିଭାବାନ କ୍ରୀଡାବିତ୍ ମେରି ସୋରେନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ତାଙ୍କୁ ୨୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ବାଲେଶ୍ୱର ବାମପଦା ନିବାସୀ ମେରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ଇଣ୍ଡିଜେଂଟ ସ୍ପୋର୍ଟସ ପର୍ସନ ଆସିଷ୍ଟାଂନ୍ସ ଟ୍ରଷ୍ଟ ଦ୍ୱାରା ପ୍ରଦତ ବାର ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯାଇଛି । ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ମେରି ସୋରେନଙ୍କୁ ଏହି ସହାୟତା ରାଶିର ଚେକ ପ୍ରଦାନ କରିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ୧୩ ବର୍ଷୀୟ ବାଳିକା ମେରି ସୋରେନ କ୍ରମାଗତ ଭାବେ ନିଜର ଅଭ୍ୟାସ ଜାରି ରଖି ୨୦୧୮ ଡିସେମ୍ବରରେ କୋଲକାତାର ଖୁଦିରାମ ଅନୁଶୀଳନ କେନ୍ଦ୍ରରେ ଅନୁଷ୍ଠିତ ଟି.ଆଇ.ଏ. ଓପନ ଇଂଟରନ୍ୟାସନାଲ ତାଇକୋଣ୍ଡୋ ଚାମ୍ପିଅନସିପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତାଇକୋଣ୍ଡୋ ଫେଡେରସନ ଅଫ ଇଣ୍ଡିଆ ଦ୍ୱାରା ପଶ୍ଚିମବଙ୍ଗର ହୁଗୁଳି ଠାରେ ଅନୁଷ୍ଠିତ ଓପନ ନ୍ୟାସନାଲ ତାଇକୋଣ୍ଡୋ ଚାମ୍ପିଅନସିପରେ ସିଲଭର ମେଡାଲ ହାସଲ କରିଥିଲେ । ସହାୟତା ରାଶି ଗ୍ରହଣ କରିବା ଅବସରରେ ଏହା ତାଙ୍କୁ ଭବିଷ୍ୟତରେ ନିଜ ଲକ୍ଷ୍ୟ ଏବଂ ସଫଳତା ହାସଲ ଲାଗି ଉତ୍ସାହ ଯୋଗାଇବ ବୋଲି ମେରି ସୋରେନ ପ୍ରକାଶ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ