ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ପ୍ରୟୋଗ ଉପରେ ଗାଇଡ୍ଲାଇନ୍ ପରିବର୍ତ୍ତନ
ନୂଆଦିଲ୍ଲୀ : ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ପ୍ରୟାଗ ଉପରେ ଗାଇଡଲାଇନ୍ ବଦଳାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟର ସଂଶୋଧିତ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକୋଲ୍ସ ଅଫ କୋଭିଡ-୧୯ ଅନୁସାରେ ଏଣିକି କରୋନା ସଂକ୍ରମଣ ପ୍ରାରମ୍ଭିକ ସ୍ଥିତିରେ ଥିଲେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଓ ମଧ୍ୟମ ଧରଣର ସ୍ଥିତିରେ ଥିଲେ ରାମଡେସଭିରର ପ୍ରୟୋଗ କରାଯିବାକୁ ଏହି ସଂଶୋଧିତ ଗାଇଡଲାଇନରେ କୁହାଯାଇଛି । ସେହିପରି ରୋଗ ପ୍ରତିରୋଧକ ଶକ୍ତିବୃଦ୍ଧିକାରୀ ଔଷଧ ଟୋସିଲିଜୁମାବର ପ୍ରୟୋଗକୁ ମଧ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି । ପୂର୍ବରୁ କେବଳ ଗୁରୁତର ସ୍ଥିତିରେ ଥିବା ରୋଗୀମାନଙ୍କୁ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ପ୍ରଦାନ ପାଇଁ ମନ୍ତ୍ରାଳୟ ଅନୁମତି ଦେଇଥିଲା । ଏହି ସଂଶୋଧିତ ନିୟମାବଳୀ ଅନୁସାରେ ସ୍ୱାଦ ବାରିବାରେ ଅକ୍ଷମତା (ଆଗେଉସିଆ) କିମ୍ବା ବାସ୍ନା ବାରିବାରେ ଅକ୍ଷମତା (ଆନୋସମିଆ) କୁ କରୋନାର ଏକ ଲକ୍ଷଣଭାବେ ତାଲିକାଭୁକ୍ତ କରାଯାଇଛି । ପୂର୍ବରୁ କରୋନାର ୭ଟି ଲକ୍ଷଣ ଚିହ୍ନଟ କରାଯାଇଥିଲା । ସେଗୁଡ଼ିକ ହେଉଛି ଜ୍ୱର,କାଶ, ନିଶ୍ୱାସ ନେବାରେ ଅସୁବିଧା, କଫ, ମାଂସପେଶୀରେ ଯନ୍ତ୍ରଣା, ନାକ ବୋହିବା ଓ ଝାଡ଼ା ।