କାର୍ଯ୍ୟରତ ସାମ୍ବାଦିକଙ୍କୁ ଏସପିଙ୍କ ର୍ଦୁବ୍ୟବହାର: ଜିଲ୍ଲା ସାମ୍ବାଦିକ ସଙ୍ଘର ଦୃଢନିନ୍ଦା , ଉଚ୍ଚସ୍ତରୀୟ ତଦନ୍ତ ଦାବି
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଂଚାୟତ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ପ୍ରସାରଣ ନିମନ୍ତେ ସେଠାରେ ଉପସ୍ଥିତ ଥିବା ଜନୈକ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ କେନ୍ଦ୍ରାପଡା ଏସପି ନୀତି ଶେଖର ତଂଟିଆ ମାରିବା ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ଦୃଢ ନିନ୍ଦା କରିବା ସହିତ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । ଗଣମାଧ୍ୟମ ପ୍ରତି ଏସପିଙ୍କ ଭଳି ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା ଆଇନର ରକ୍ଷକ ଯଦି ଏଭଳି ଆଚରଣ ପ୍ରଦର୍ଶନ କରି ଗଣତନ୍ତ୍ରର କଣ୍ଠରୋଧ କରିବାକୁ ପ୍ରୟାସ କରନ୍ତି ତେବେ ସାଧାରଣ ଜନତା କିଭଳି ପୋଲିସ ଠାରୁ ନ୍ୟାୟ ପାଇବେ ବୋଲି ସଙ୍ଘ ପ୍ରଶ୍ନ କରିଛି ? ତେଣୁ ଯଥାଶୀଘ୍ର ରାଜ୍ୟ ସରକାର ଏଭଳି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସଙ୍ଘ ରାଜାରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ସଙ୍ଘର ସଭାପତି ଅକ୍ଷୟ କୁମାର ବିଶ୍ୱାଳ,ଉପସଭାପତି ରାଜେଶ ବେହେରା,ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ସାହୁ,ବରିଷ୍ଟ କାର୍ଯ୍ୟକାରୀ କମିଟି ସଦସ୍ୟ ଚିତ୍ତରଞ୍ଜନ ଦାସ,ସନ୍ତୋଷ କୁମାର କର,ସଚିଦାନନ୍ଦ ବେହେରା ପ୍ରମୁଖ ଦାବି କରିଛନ୍ତି ।