ଖୋଲିବ ଏଫିଲ୍ ଟାଓ୍ବାର
ପ୍ୟାରିସ୍ : ଫ୍ରାନ୍ସରେ କରୋନା ମହାମାରୀ ଯୋଗୁଁ ଏଫିଲ୍ ଟାଓ୍ବାର ବନ୍ଦ ରହିଥିଲା । କିନ୍ତୁ ଏହା ଆଜିଠାରୁ ଖୋଲାଯିବ । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କରୋନା ପାଇଁ ପ୍ରଥମ ଥର ପାଇଁ ଦୀର୍ଘ ସମୟ ଧରି ଏଫିଲ୍ ଟାଓ୍ବାରକୁ ବନ୍ଦ କରାଯାଇଥିଲା । କରୋନା ସଂକ୍ରମଣ ଦ୍ରୁତ ପ୍ରଭାବକୁ ଦେଖି ଟାଓ୍ବାରକୁ ବନ୍ଦ କରାଯାଇଥିଲା । ଏବେ ଏହି ଟାଓ୍ବାରକୁ ଦର୍ଶକ ଦେଖିପାରିବେ । ୩୨୪ ମିଟର ଉଚ୍ଚ ଏହି ଟାଓ୍ବାରକୁ ପାରିସ୍ ଲକ୍ ଡାଉନ୍ ଘୋଷଣା ପରେ ବନ୍ଦ କରାଯାଇଥିଲା । ତେବେ ସୀମିତ ଦର୍ଶକ ଏବେ ଏହି ଟାଓ୍ବାରକୁ ଦେଖିପାରିବେ । ସେହିପରି ଟପ୍ ଫ୍ଲୋରକୁ ଯାଉଥିବା ଏଲିବେଟର୍ସକୁ ବନ୍ଦ କରାଯାଇଛି । ଦୂରରୁ ଏହି ଭବ୍ୟ ଟାଓ୍ବାରକୁ ଦର୍ଶକ ଦେଖିପାରିବେ । ସେହିପରି ଏଠାକୁ ଆସୁଥିବା ଦର୍ଶକମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ଜୁଲାଇ ୪ ତାରିଖଠାରୁ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନ୍କୁ ନିରସ୍ତ୍ର କରିଦିଆଯିବ । ଏହା ସହିତ ଦେଶରେ ସିନେମା, ମ୍ୟୁଜିସିଆନ୍, ବାର୍, ପବ୍ ଓ ରେଷ୍ଟୁରାଣ୍ଟ ଆଦି ଖୋଲାଯିବ । କରୋନା ମହାମାରୀର ଭୟାବହତାକୁ ଦେଖି ସାର୍ବଜନିକ ସ୍ଥାନକୁ ବନ୍ଦ କରି ଦିଆଯାଇଥିଲା । ମାର୍ଚ୍ଚ ୨୩ ତାରିଖରୁ ସିନେମା ହଲ୍, ପବ୍ ଆଦି ସ୍ଥାନ ବନ୍ଦ ରହିଛି । ସେହିପରି ସ୍ପେନ୍ ଗତ ରବିବାର ଦିନ ୟୁରୋପିଆନ୍ ଟୁରିଷ୍ଟଙ୍କ ପାଇଁ ନିଜ ସୀମା ଖୋଲିଛନ୍ତି । ସେହିପରି ଦେଶରେ ୧୪ ଦିନିଆ କ୍ବାରେଣ୍ଟାଇନ୍ ନିୟମକୁ ମଧ୍ୟ ଶେଷ କରିଛନ୍ତି ।