ଆଜି ୱାଲର୍ଡ ବ୍ରେନ ଡେ
(ଯୁଗାବ୍ଦ ନ୍ୟୁଜ) ପ୍ରତିବର୍ଷ ଜୁଲାଇ ୨୨କୁ ବିଶ୍ୱ ମସ୍ତିଷ୍କ ଦିବସ (ଓ୍ବାଲର୍ଡ ବ୍ରେନ୍ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଚଳିତବର୍ଷର ଥିମ ରହିଛି ‘ମାଇଗ୍ରେନ୍ : ଦ ପେନ୍ଫୁଲ୍ ଟ୍ରୁଥ’। ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ମସ୍ତିଷ୍କ ଅନ୍ୟତମ। ଏହା ସୁସ୍ଥ ରହିଲେ ଆମର ଶାରୀରିକ ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ। ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ମୁଣ୍ଡବିନ୍ଧା ଯନ୍ତ୍ରଣାକୁ ଏକ ସାଧାରଣ ରୋଗ ଭାବେ ଧରାଯାଇଥାଏ। ମୁଣ୍ଡବ୍ୟଥା ସାଧାରଣତଃ ଦୁଇ ପ୍ରକାର :- ପ୍ରାଥମିକ (ପ୍ରାଇମେରୀ) ମୁଣ୍ଡବ୍ୟଥା ଏବଂ ସେକେଣ୍ଡାରୀ ମୁଣ୍ଡବ୍ୟଥା। ପ୍ରାଥମିକ ମୁଣ୍ଡବିନ୍ଧାରେ ଏହାର ପ୍ରକୃତ କାରଣ ଜଣା ପଡି ନ ଥାଏ। ସେକେଣ୍ଡାରୀ ମୁଣ୍ଡବ୍ୟଥା, ଯେଉଁଠାରେ ମସ୍ତିଷ୍କଜନିତ ବିଭିନ୍ନ ସମସ୍ୟା ଯଥା- ବ୍ରେନ୍ ଟ୍ୟୁମର, ବ୍ରେନ୍ ହାମରେଜ, ମେନିନଜାଇଟିସ୍ ଇତ୍ୟାଦି କାରଣରୁ ହିଁ ମୁଣ୍ଡବିନ୍ଧା ଅତିଶୟ ହୋଇଥାଏ। ପ୍ରାଥମିକ ଲକ୍ଷଣ : ମାଇଗ୍ରେନ୍ ବା ଅର୍ଦ୍ଧକପାଳିଜନିତ ମୁଣ୍ଡବିନ୍ଧା ପୂର୍ବରୁ କିଛି ଲୋକଙ୍କୁ ଦୃଷ୍ଟିଗତ ସମସ୍ୟା ଦେଖା ଯାଇଥାଏ। ସୂର୍ୟ୍ୟକିରଣ କିମ୍ବା ଲାଇଟ୍କୁ ଚାହିଁଲେ ଅତ୍ୟଧିକ ମୁଣ୍ଡବିନ୍ଧା ହୋଇଥାଏ।ଚତୁଃପାର୍ଶ୍ୱ ଘୂରିବା ଭଳି ଲାଗେ ଏବଂ ବାନ୍ତି ହୁଏ। ତେବେ ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ ଭୋକ ଲାଗିବା ସମୟରେ ଆହାର ନେବା ଜରୁରୀ। ଅତ୍ୟଧିକ ସମୟ ଉପବାସରେ ନ ରହିବା ଭଲ। ଅଧିକ ରାତ୍ରି ଉଜାଗର ନ ରହିବା ଦରକାର। ମାନସିକ ଚାପରୁ ଦୂରେଇ ରହିବା ଆବଶ୍ୟକ। ପ୍ରତିଦିନ ନିୟମିତ ବ୍ୟାୟାମ ତଥା ଯୋଗ, ପ୍ରାଣାୟାମ କଲେ ଅଧିକ ସୁଫଳ ମିଳିଥାଏ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖିବା ଦରକାର। ଅତ୍ୟଧିକ କଫି କିମ୍ବା କଫି ଜାତୀୟ ଦ୍ରବ୍ୟ ଏବଂ କୋଲ୍ଡଡ୍ରିଙ୍କସଠାରୁ ଦୂରେଇ ରୁହନ୍ତୁ। ପ୍ରଥମତଃ ମୁଣ୍ଡବିନ୍ଧାର କାରଣକୁ ନିରୂପଣ କରନ୍ତୁ।