ସ୍ଥାପତ୍ୟ କହେ କରୁଣ କାହାଣୀ

ମାନବ ଇତିହାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଛି ଏକ କଳଙ୍କିତ ଅଧ୍ୟାୟ । ଏହା ନେଇଥିଲା ଲକ୍ଷ ଲକ୍ଷ ନିରୀହ ଜୀବନ । ଉଭୟ ନାଜି ଓ ସୋଭିଏଟ ୟୁନିୟନ୍ ନିଷ୍ଠୁର ଗଣହତ୍ୟା ଓ ନୃଶଂସକାଣ୍ଡମାନ ଘଟାଇଥିଲେ । ତାହା ମଧ୍ୟରେ ଗୋଟିଏ ଘଟଣା ଥିଲା ଅତ୍ୟନ୍ତ ହୃଦୟ ବିଦାରକ, ଯାହାକୁ ନାଜିମାନେ ଘଟାଇଥିଲେ । ଚେକୋସ୍ଲୋଭାକିଆ(ବର୍ତ୍ତମାନର ଚେକ୍ ରିପବ୍ଲିକ୍ ଅନ୍ତର୍ଗତ)ର ଲିଡିସ୍ ଗ୍ରାମର କୁନି କୁନି ପିଲା ଏହି ଯୁଦ୍ଧରେ ବଳି ପଡିଯାଇଥିଲେ । ସେତେବେଳେ ନାଜିମାନେ ପୋଲାଣ୍ଡର ଏହି ଗ୍ରାମରେ କ୍ୟାମ୍ପ କରି ମାନବୀୟ ସଫେଇ ନାମରେ ମାସ୍ କିଲିଂ କରୁଥିଲେ । ନାଜିର ଜଣେ ଅଫିସର ରିନ୍ହାର୍ଡ ହେଡ୍ରିଚ୍ଙ୍କ ହତ୍ୟା ପରେ ହିଟଲର୍ ଚେକୋସ୍ଲୋଭାକିଆରେ ଗଣହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗାଁଗୁଡିକୁ ପୁରୁଷ ଶୂନ୍ୟ କରିବା ସହ ମହିଳା ଓ ପିଲାଙ୍କୁ ଅଲଗା ଅଲଗା କ୍ୟାମ୍ପରେ ରଖାଯାଇଥିଲା । ୧୯୪୨ରେ ତ ନାଜିମାନେ ଲିଡିସ୍ ଗ୍ରାମର ପ୍ରାୟ ଅଧିବାସୀଙ୍କୁ ହତ୍ୟା କରିଥିଲେ । ସେଥିରେ ୧୭୩ ପୁରୁଷ ଥିଲେ । ୧୮୪ ମହିଳା ଓ ୮୮ ପିଲାଙ୍କୁ ନେଇ ଯାଇଥିଲେ । କିଛି ପିଲାଙ୍କୁ ଜର୍ମାନ ନିିଆଯାଇଥିଲା । ଆଉ ବାକି ୮୨ ପିଲାଙ୍କୁ ଅତି ନିଷ୍ଠୁର ଭାବେ ବିଷାକ୍ତ ଗ୍ୟାସ୍ ଦେଇ ହତ୍ୟା କରାଯାଇଥିଲା । ଗୋଟିଏ ଥରରେ ଏତେ ସଂଖ୍ୟକ ପିଲାଙ୍କୁ ଏତେ ନିର୍ମମ ଭାବେ କରାଯାଇଥିବା ଏହି ହତ୍ୟାକୁ ଇତିହାସରେ ଏକ କଳା ଅଧ୍ୟାୟ ଭାବେ ବିବେଚନା କରାଯାଏ । ୧୯୮୦ରେ ଏହି ମର୍ମନ୍ତୁଦ ଘଟଣାକୁ ମ୍ୟାରୀ ଉଚିତୋଲୋଭା ନାମ୍ନୀ ସ୍ଥପତି ସ୍ଥାପତ୍ୟର ରୂପ ଦେବାକୁ ଚାହିଁଥିଲେ । ଏହାକୁ ସେ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ୧୩ ମିଲିୟନ ପିଲାଙ୍କ ସ୍ମାରକୀ ଭାବେ ଗଢ଼ିବା ଆରମ୍ଭ କରିଥିଲେ । ତେବେ ଆରମ୍ଭ କରିବା ପୂର୍ବରୁ ମୃତ୍ୟୁବରଣ କରିଥିବା ପିଲାଙ୍କ ମା’, ଯେଉଁମାନେ କି ସେ ସମୟରେ ବଞ୍ଚିଯାଇଥିଲେ, ତାଙ୍କଠାରୁ ଗଣହତ୍ୟାରେ ଶିକାର ସେମାନଙ୍କ ପିଲା ଦେଖିବାକୁ କିଭଳି ଥିଲେ ବୁଝିଥିଲେ । ହେଲେ ସେ କେବଳ ପ୍ଲାଷ୍ଟରର ମୂର୍ତ୍ତି ଗଢିଥିବାବେଳେ ୧୯୮୯ରେ ମୃତ୍ୟୁବରଣ କଲେ । ପରେ ତାଙ୍କ ସ୍ୱାମୀ ଜିରି ହାମ୍ପେଲ ବ୍ରୋଞ୍ଜ ଢଳେଇ କରି ସ୍ଥାପତ୍ୟକୁ ସମ୍ପୂର୍ଣ୍ଣ କରିଥିଲେ । ଏହା ଶେଷ ହେବାକୁ ୨୦ ବର୍ଷ ଲାଗିଗଲା । ୨୦୦୦ ମସିହାରେ ସମ୍ପୂର୍ଣ୍ଣ ହେଲା । ତେବେ ଆଜି ବି ଏହି ସ୍ଥାପତ୍ୟକୁ ଦେଖିଲେ କୁନି କୁନି ପିଲାଙ୍କ ଯନ୍ତ୍ରଣାର କାହାଣୀ ତାଜା ହୋଇଉଠେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ