୧୨ ବର୍ଷ ପରେ ମିଳିଲା ହଜିଲା ମୁଦି
ବ୍ରିଟେନ୍ରେ ରହୁଥିବା ଅବିଗେଲ୍ ଥମ୍ପସନ୍ ନାମ୍ନୀ ଜଣେ ୨୦ ବର୍ଷୀୟା ଯୁବତୀ ଦୀର୍ଘ ୧୨ ବର୍ଷ ବ୍ୟବଧାନ ପରେ ତାଙ୍କର ହଜିଯାଇଥିବା ମୁଦି ପାଇବାରେ ସଫଳ ହୋଇପାରିଛନ୍ତି । କିନ୍ତୁ ମୁଦିଟି କେମିତି ହଜିଥିଲା ଆଉ ତାକୁ ସେ କେମିତି ପାଇଲେ, ସେ ଘଟଣାଟିକୁ ବର୍ଣ୍ଣନା କଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ସୂଚନାନୁଯାୟୀ, ଅବିଗେଲ୍ଙ୍କୁ ଯେତେବେଳେ ମାତ୍ର ୮ ବର୍ଷ ବୟସ ହୋଇଥିଲା, ତାଙ୍କୁ ତାଙ୍କ ମା’ ଏକ ସୁନାମୁଦି ଗିଫ୍ଟ କରିଥିଲେ । କିନ୍ତୁ କିଛିଦିନ ପରେ ହଠାତ ସେ ମୁଦିଟି କେଉଁଠି ହଜିଗଲା । ବହୁ ଖୋଜିବା ପରେ ବି ମିଳିଲାନି । ଘରଲୋକ ଭାବିଲେ, ଅବିଗେଲଙ୍କର କେହି ସାଙ୍ଗ ବୋଧେ ସେହି ମୁଦିଟିକୁ ଚୋରିକରି ନେଇଯାଇଛି । ଏମିତି ସମୟ ଗଡ଼ିଚାଲିଲା । ଅବିଗେଲ ବଡ଼ ହୋଇ ଜଣେ ବ୍ୟୁଟିସିଆନ୍ ଭାବେ କ୍ୟାରିୟର କରିବାକୁ ଲାଗିଲେ । କିନ୍ତୁ ଏଇ କିଛିଦିନ ତଳେ କୌଣସି କାରଣବଶତଃ ତାଙ୍କର ଖୁବ୍ ଛିଙ୍କ ହେଲା । ଲଗାତାର ସେ ଛିଙ୍କି ଚାଲିଲେ । ଏହି ଛିଙ୍କିବା ଯୋଗୁ ହଠାତ କ’ଣ ଗୋଟେ ତାଙ୍କ ନାକରୁ ଛିଟିକି ଯାଇ ତଳେ ପଡ଼ିଗଲା । ଅବିଗେଲ୍ କିଛି ବୁଝିପାରିଲେନି । ତଳେ ପଡ଼ିଥିବା ସେହି ଜିନିଷଟିକୁ ଉଠାଇ ତାକୁ ନିରେଖି ଦେଖିବାରୁ ତାହା ତାଙ୍କର ସେହି ହଜିଯାଇଥିବା ମୁଦି ବୋଲି ସେ ଜାଣିଲେ । କାରଣ ଏତେ ବର୍ଷ ନାକ ଭିତରେ ରହିଥିବାରୁ ମୁଦିର ରଙ୍ଗ ଟିକେ ଫିକା ପଡ଼ିଯାଇଥିଲା । ଆଶ୍ଚର୍ଯ୍ୟ ହୋଇଗଲେ ଘରଲୋକ ଏହା କେମିତି ସମ୍ଭବ ହେଲା! ଏ ନେଇ ଜଣେ ବରିଷ୍ଠ ପ୍ଲାଷ୍ଟିକ୍ ସର୍ଜନଙ୍କ ପରାମର୍ଶ ନେବାରୁ ସେ କହିଲେ, “ଅସାବଧାନତାବଶତଃ ବେଳେବେଳେ ଏମିତି ଅନେକ ଜିନିଷ ନାକ, କାନ ଓ ପାଟିରେ ପୂରାଇ ଦେଇଥାନ୍ତି । ଅବିଗେଲଙ୍କ କ୍ଷେତ୍ରରେ ବି ସେୟା ହିଁ ଘଟିଛି । ହୁଏତ ସେତେବେଳେ ଅବିଗେଲଙ୍କ ନାକ ଛୋଟ ଥିବାରୁ ମୁଦିଟି ତାହା ଭିତରେ ଜାମ୍ ହୋଇ ରହିଯାଇଥିଲା । ଆଉ ଏବେ ନାକ ଟିକେ ବଡ଼ ହୋଇଯାଇଥିବାରୁ ବାରମ୍ବାର ଛିଙ୍କିବା ଦ୍ୱାରା ମୁଦିଟି ନାକରୁ ଖସିଆସିଲା । ତଥାପି ଆଶ୍ଚର୍ଯ୍ୟ ଲାଗୁଛି ଏତେ ବର୍ଷ ଧରି ମୁଦିଟି ଅବିଗେଲଙ୍କ ନାକ ଭିତରେ ରହିଥିଲେ ବି ସେ କେମିତି ଏ କଥା ଜାଣିପାରିଲେ ନାହିଁ । ଆଉ ନିଃଶ୍ୱାସପ୍ରଶ୍ୱାସ ଛାଡ଼ିବା ନେବାରେ ତାଙ୍କୁ କେମିତି ଅସୁବିଧା ହେଲାନାହିଁ । ତେବେ ସେ ଯାହାହେଉ ଏତେ ବର୍ଷ ପରେ ହଜିଯାଇଥିବା ମୁଦିଟି ପାଇ ଅବିଗେଲ ଯେତିକି ଖୁସି, ତା’ଠାରୁ ଅଧିକ ଖୁସି ହେଉଛନ୍ତି ତାଙ୍କ ପରିବାର ଲୋକେ ଅବିଗେଲଙ୍କୁ ସୁସ୍ଥ ଥିବା ଦେଖି ।


