ଓଡ଼ିଶା ସମେତ ୭ଟି ରାଜ୍ୟର ଭିତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

(ଯୁଗାବ୍ଦ ନ୍ୟୁଜ୍)-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଲାଗି ଉଦ୍ଦିଷ୍ଟ ଆଇସିଟି ଆଧାରିତ ବହୁମୁଖୀ ମଂଚ-ପ୍ରଗତି ଜରିଆରେ ୩୦ତମ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।
କେନ୍ଦ୍ର ସରକାରଙ୍କ ନୂତନ କାର୍ଯ୍ୟକାଳର ଏହା ହେଉଛି ପ୍ରଥମ ପ୍ରଗତି ବୈଠକ । ପୂର୍ବ କାର୍ଯ୍ୟକାଳ ସମୟରେ ୨୯ଟି ପ୍ରଗତି ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ୧୨ ଲକ୍ଷ କୋଟି ଟଙ୍କାର ନିବେଶ ସହିତ ୨୫୭ଟି ପ୍ରକଳ୍ପର କ୍ରମବର୍ଦ୍ଧନଶୀଳ ସମୀକ୍ଷା କରାଯାଇଥିଲା । ୪୭ଟି କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି ଅନୁଧ୍ୟାନ କରାଯାଇଥିଲା । ୧୭ଟି କ୍ଷେତ୍ର ତଥା ୨୧ଟି ବିଷୟବସ୍ତୁ ଉପରେ ସାଧାରଣ ଅଭିଯୋଗର ସମାଧାନ ମଧ୍ୟ ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ) ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ସମାଧାନ ଦିଗରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ । ୨୦୨୨ ସୁଦ୍ଧା ଯେପରି କୌଣସି ଗୋଟିଏ ପରିବାର ବାସହୀନ ନରୁହନ୍ତି, କେନ୍ଦ୍ର ସରକାରଙ୍କ ଏହି ସଂକଳ୍ପକୁ ପୂରଣ କରିବା ଉପରେ ସେ ରେଖାପାତ କରିଥିଲେ । ଏହି ଲକ୍ଷ୍ୟ ଦିଗରେ ତତ୍ପରତା ପୂର୍ବକ କାର୍ଯ୍ୟ କରିବା ଏବଂ ଏ କ୍ଷେତ୍ରରେ ଆସୁଥିବା ସମସ୍ତ ବାଧା ଦୂର କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଆର୍ଥିକ ସେବା ବିଭାଗ ସହ ଜଡ଼ିତ ସାଧାରଣ ଅଭିଯୋଗଗୁଡ଼ିକର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟାନ୍ୱୟନ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ଏହି ଅବସରରେ ତାଙ୍କୁ ସୂଚନା ଦିଆଯାଇଥିଲା ଯେ ବର୍ତମାନ ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ୩୫ ଲକ୍ଷ ହିତାଧିକାରୀ ଡାକ୍ତରଖାନାରେ ଭର୍ତି ହୋଇସାରିଛନ୍ତି ଏବଂ ୧୬ ହଜାରରୁ ଊଦ୍ଧ୍ୱର୍ ଡାକ୍ତରଖାନା ଯୋଜନାରେ ସାମିଲ ହୋଇସାରିଛନ୍ତି । ଏହି ଯୋଜନାର ଶ୍ରେଷ୍ଠ ପ୍ରଚଳନ ଏବଂ ଏଥିରେ ଆହୁରି ଉନ୍ନତି ଆଣିବାରେ ସହାୟକ ହେବା ଲାଗି ରାଜ୍ୟଗୁଡ଼ିକ ସହ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଏହି ଯୋଜନାର ଲାଭ ଏବଂ ସକାରାତ୍ମକ ପ୍ରଭାବ ଜାଣିବା ଲାଗି ଏକ ଅଧ୍ୟୟନ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ । ଏହି ଯୋଜନାର ସାମୟିକ ଠକେଇ ଏବଂ ଅପବ୍ୟବହାର ରୋକିବା ଲାଗି କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେ ଜାଣିବାକୁ ଚାହିଁଥିଲେ । ସୁଗମ୍ୟ ଭାରତ ଅଭିଯାନର ପ୍ରଗତି ସମୀକ୍ଷା କରି, ପ୍ରଧାନମନ୍ତ୍ରୀ ସର୍ବସାଧାରଣ ସ୍ଥାନରେ ଦିବ୍ୟାଙ୍ଗଜନମାନେ ପ୍ରବେଶ କ୍ଷେତ୍ରରେ ଭୋଗୁଥିବା ଅସୁବିଧା ସମ୍ପର୍କରେ ମତାମତ ସଂଗ୍ରହ କରିବା ଲାଗି ଏକ ବ୍ୟବସ୍ଥା କରିବା ନିମନ୍ତେ ପ୍ରଯୁକ୍ତିର ଉପଯୋଗ ଲାଗି ପରାମର୍ଶ ଦେଇଥିଲେ । ଦିବ୍ୟାଙ୍ଗଜନଙ୍କ ପ୍ରବେଶକୁ ପ୍ରୋତ୍ସାହନ ଦେବା ନିମନ୍ତେ ଜନସାଧାରଣଙ୍କ ଅଧିକ ସମ୍ପୃକ୍ତି ଓ ସମ୍ବେଦନତାର ସମାଧାନ ଖୋଜିବା ପାଇଁ ସେ ଆହ୍ୱାନ କରିଥିଲେ । ଜଳ ଶକ୍ତିର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ଚଳିତ ମୌସୁମୀ ଋତୁରେ ଜଳ ସଂରକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ରେଳ ଏବଂ ସଡ଼କ କ୍ଷେତ୍ରରେ ଆଠଟି ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ବିହାର, ଉତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ହିମାଚଳ ପ୍ରଦେଶ ଓ ଗୁଜରାଟରେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ