ଅଧେ ମଣିଷ ଅଧେ କୁକୁର
ଅଧେ ପଶୁ ଅଧେ ମଣିଷ । ଯେମିତିକି ଅଧେ ମଣିଷ ଅଧେ ସିଂହ, ଅଧେ ମଣିଷ ଅଧେ ଘୋଡ଼ା ଅଥବା ଅଧେ ମଣିଷ ଅଧେ ଛେଳି – ଏସବୁ ପୁରାଣ କାହାଣୀରେ ଅଥବା ଫାଣ୍ଟାସୀ ଫିଲ୍ମରେ ଦେଖିବାକୁ ମିଳିଥାଏ । ତାହାକୁ ମଣିଷ ମନର କାଳ୍ପନିକତା ବୋଲି ଧରି ନିଆଯାଏ । ହେଲେ ସତସତିକା ଜୀବନରେ ସେସବୁ ଦେଖିବାକୁ ମିଳି ନଥାଏ । ମାତ୍ର ଯଦି କେବେ କାହାରି ହାବୁଡ଼ରେ ପଡ଼ିଯାଏ ସେମିତିକା ଗୋଟେ ଜୀବ ତା’ହେଲେ ହୋସ୍ ଉଡ଼ିଯିବା ସ୍ୱାଭାବିକ୍ । ସେମିତିକା ଗୋଟିଏ ଘଟଣା ଘଟିଛି ଆମେରିକାର ସାନ୍ ବେନିଟୋରେ । ସାନ୍ ବେନିଟୋର ନଈକୂଳିଆ ରାସ୍ତାରେ କାର ଚଳେଇ ଆସୁଥିଲେ ଦୁଇଜଣ ବନ୍ଧୁ । ହଠାତ୍ ସେମାନେ ଦେଖିଲେ ଦୁଇଟି ଅଦ୍ଭୁତ ଜୀବ ନଈରୁ ପାଣି ପିଉଛନ୍ତି । ସେଗୁଡ଼ିକ ଦେଖିବାକୁ ତ କୁକୁର ଭଳି । ମାତ୍ର ସେମାନଙ୍କର ଅର୍ଦ୍ଧେକାଂଶ ଠିକ୍ ଯେମିତି ମଣିଷର ଅଙ୍ଗ । ଏହା ଦେଖି ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେମାନେ ଗାଡ଼ି ରଖି ସେହି ଅଦ୍ଭୁତ ଜୀବ ଦୁଇଟିର ଫଟୋ ନେବାକୁ ଚାହିଁଥିଲେ । ମାତ୍ର ଅତି ଚତୁର ସେହି ପ୍ରାଣୀ ଦୁଇଟି ଘାସବୁଦା ଭିତରେ ପଶି କୁଆଡ଼େ ଗାଏବ୍ ହୋଇଯାଇଥିଲେ । ଅବଶ୍ୟ ଜଣେ କିଛି ସେକେଣ୍ଡର ଭିଡ଼ିଓ କରିବାକୁ ସଫଳ ହୋଇଛନ୍ତି । ମାତ୍ର ତାହା ଖୁବ୍ ଅସ୍ପଷ୍ଟ । ଏ ଘଟଣା ଲୋକଲୋଚନକୁ ଆସିବା ପରେ ଗୋଟିଏ କଥା କୁହାଯାଇପାରିବ ଯେ, ପୁରାଣ କିମ୍ବା କାଳ୍ପନିକ କାହାଣୀରେ କୁହାଯାଇଥିବା ସବୁକଥା ମିଛ କିମ୍ବା କଳ୍ପନା ହୋଇ ନପାରେ । ଅଳ୍ପ ହେଉ ପଛକେ କିଛି ନା କିଛି ସତ୍ୟତା ନିଶ୍ଚୟ ଅଛି ।


