ଅସହାୟଙ୍କୁ ସହାୟ ହେବ କିଏ ?

ଲକଡ଼ାଉନରେ ଓଳିଏ ଖାଇବାକୁ ମିଳୁଥିଲା ସଟଡ଼ାଉନରେ ଭୋକ ଉପାସରେ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ପ୍ରତିହିତ କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରଖିବା ସହ ବହୁ କଟକଣା ଜାରି କରିଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ସବୁଠାରୁ ଅସହାୟ ହୋଇ ପଡ଼ିଛନ୍ତି ଅସହାୟ ବ୍ୟକ୍ତି । ଲକଡ଼ାଉନ ସମୟରେ କିଛି ନା କିଛି ଓଳିଏ ପାଇଁ ମଧ୍ୟ ଖାଇବାକୁ ମିଳୁଥିଲା ହେଲେ ଅନଲକ ସମୟରେ ପେଟକୁ ମୁଠାଏ ମଧ୍ୟ ଖାଇବାକୁ ମିଳୁନାହିଁ । ଭୋକ ଉପାସରେ ଦିନ କଟୁଛି । ହୌିଞ୍ଜିଳିକାଟୁ ବସଷ୍ଟାଣ୍ଡ ସମେତ ବ୍ଳକର କିଛି ପଂଚାୟତରେ ଘୁରି ବୁଲୁଥିବା ପାଗଳ ଶ୍ରେଣୀ ବ୍ୟକ୍ତି ବିଶେଷଙ୍କ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ଏଭଳି ଅବସ୍ଥାରେ ଅସହାୟଙ୍କୁ ସହାୟ କିଏ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।କରୋନା ଯୋଗୁଁ ସାରା ରାଜ୍ୟରେ ଗମ୍ଭୀର ପରିସ୍ଥିତି ଦେଖାଦେଇଛି । ରାଜ୍ୟର ସର୍ବାଧିକ କରେନା ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଦେଖାଦେଇଛି । କରୋନାକୁ ପ୍ରତିହିତ କରିବା ସକାଶେ ସରକାର ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଲକଡ଼ାଊନ ଘୋଷଣା କରିଥିଲେ । ଦୋକାନ, ବଜାର, ହୋଟେଲ ସବୁ କିଛି ବନ୍ଦ । ଏଭଳି ପରିସ୍ଥିତିରେ ସହସ୍ରାଧିକ ପ୍ରବାସୀ ରାଜରାସ୍ତାକୁ ଆସିଥିଲେ । ପ୍ରବାସୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ଲକ୍ଷରେ ବହୁ ସ୍ୱେଛାସେବୀ ଅନୁଷ୍ଠାନ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନେ ଆଗେଇ ଆସିଥିଲେ । କେହି ଯେପରି ଭୋକ ଉପାସରେ ନରହୁଏ ସେଥିପ୍ରତି ସରକାରଙ୍କ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିଲା । ଏପରିକି ଅନେକ ଲୋକ ଘରେ ରୋଷେଇ କରି ବିଭିନ୍ନ ପଶୁ, ପକ୍ଷୀ ମାନଙ୍କୁ ଖାଇବାକୁ ଦେଉଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏପରିକି କିଛି ସ୍ୱେଛାସେବୀ ସଙ୍ଗଠନ ଓ ଯୁବ ସମାଜ ପକ୍ଷରୁ ଚାଲି ଚାଲି ଫେରୁଥିବା ପ୍ରବାସୀଙ୍କ ଦୁଃଖ କଷ୍ଟ ସହ୍ୟ କରିନପାରି ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରୁଥିବାର ଦେଖିବାକୁ ମିଳିଥିଲା । ଲୋକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବହୁ ପ୍ରାଂଶସା ଓ ସ୍ୱାଗତ କରାଯାଇଥିଲା । ହେଲେ କରେନା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହୋଇପଡ଼ିବା ଯୋଗୁଁ ସରକାର ଜୁଲାଇ ପହିଲାରୁ ଅନଲକ୍‌-୨ କାର୍ଯ୍ୟକାରୀ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ଭୟଙ୍କର ପରିସ୍ଥିତି ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାକୁ ସଟଡ଼ାଉନ ଘୋଷଣା କରିଛନ୍ତି । ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ପୌରାଂଚଳର ବିଭିନ୍ନ ୱାର୍ଡ଼କୁ କଂଟେନମେଂଟ ଓ ବଫରଜୋନ ଘୋଷଣା କରାଯାଇଥିବା ବେଳେ ବ୍ଳକ ପ୍ରଶାସନ ପକ୍ଷରୁ ବହୁ ଗ୍ରାମ ପଂଚାୟତକୁ ମଧ୍ୟ କଂଟେନମେଂଟ ଓ ବଫରଜୋନ ଘୋଷଣା କରାଯାଇଛି । ଦିନକୁ ଦିନ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଏଭଳି ସମସ୍ୟା ଭିତରେ ଜର୍ଜରିତ ହୋଇ ପଡ଼ିଛନ୍ତି ରାସ୍ତାକଡ଼ରେ ଘୁରି ବୁଲୁଥିବା ବହୁ ଅସହାୟ ମଣିଷ । ସ୍ଥାନୀୟ ପୌରାଂଚଳରେ ୪ ପୁରୁଷ ଓ ଜଷର ମହିଳା ଅସହାୟ ଘୁରି ବୁଲୁଥିବା ବେଳେ ନିକଟବର୍ତି ବିଭିନ୍ନ ଗ୍ରାମାଂଚଳରେ ୧୫ରୁ ଉର୍ଦ୍ଧ୍ୱ ଅସହାୟ ରାସ୍ତାକଡ଼ରେ ଘୁରି ବୁଲୁଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ନା ସେମାନେ ଖାଇବାକୁ ମାଗି ପାରୁଛନ୍ତି ନା ମନ ଜାଣି ସେମାନଙ୍କୁ ଖାଇବାକୁ ଦେବାକୁ କିଏ ଅଛି । ସ୍ଥାନୀୟ ବସଷ୍ଟାଣ୍ଡ, ସିନେମାହଲ ଛକ, ଓ ନିୟନ୍ତ୍ରିତ ବଜାର ପରିସରରେ ୫ଜଣ ମାନସିକ ବିକୃତ, ଭିକ୍ଷୁକ ନିରାଶ୍ରୟ ପଡ଼ି ରହିଛନ୍ତି । କେଉଁ ଦିନ କିଛି କୌଣସି ସ୍ଥାନରୁ କିଛି ମିଳିଲେ ଖାଉଛନ୍ତି ତ ନମିଳିଲେ ଦିନ ସାରା ଭୋକ ଉପାସରେ ପଡ଼ି ରହୁଛନ୍ତି । ଲକଡ଼ାଉନ ସମୟରେ ପୌର ପ୍ରଶାସନ ପକ୍ଷରୁ ପୌରାଂଚଳର ବିଭିନ୍ନ ସାହିବସ୍ତି ଓ ଗଳିକନ୍ଦିରେ ଘୁରି ବୁଲୁଥିବା ଏଭଳି ନିରାଶ୍ରୟ ଓ ଅସହାୟଙ୍କୁ ଖୋଜି ମାଗଣା ଖାଦ୍ୟ ବଂଟନ କରାଯାଉଥିଲା ।ଏଥିରେ କେତେକ ସ୍ୱେଛାସେବୀ ଅନୁଷ୍ଠାନ ଓ ଯୁବ ସମାଜ ପକ୍ଷରୁ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ନିରାଶୟ ମାନଙ୍କୁ ମୁହଁରେ ଆହାର ଯୋଗାଇ ଆସୁଥିଲେ । ପୌର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିବା ରନ୍ଧାଖାଦ୍ୟ ବାବଦରେ ମିଳୁଥିବା ସହାୟତା ମଧ୍ୟ ବନ୍ଦ ହୋଇ ଯାଇଥିବା ଜଣାପଡ଼ିଛି । କିଛି ଦିନ ମଧ୍ୟରେ ଭୋକ ଉପାସରେ ଏଭଳି ନିରାଶୟ ଓ ଅସହାୟ ଶ୍ରେଣୀର ମଣିଷ ମାନେ ଭୋକ ଉପାସରେ ମୃତ୍ୟୁ ମୁଖରେ ପଡ଼ିବା ଘଟଣାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ପୌର ଅଧିକାରୀ କରୋନା ସଂକ୍ରମିତ ଥିବାରୁ ଚିକିତ୍ସା ସକାଶେ ଡ଼ାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡ଼ିଛି ।ଏଣୁ ପୌର ଅଧିକାରୀଙ୍କ ମତାମତ ସଂଗ୍ରହ କରାଯାଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ