ଅଗଷ୍ଟ ୮ରେ ମହାନଦୀ ଶୁଣାଣି

ଭୁବନେଶ୍ୱର: ପୁଣି ଘୁଞ୍ଚିଲା ମହାନଦୀ ଶୁଣାଣି । ଆସନ୍ତା ଅଗଷ୍ଟ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମହାନଦୀ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି କରାଯାଇଥିଲା । ତେବେ ଏହି ଅବସରରେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଇସ୍ୟୁ ଫ୍ରେମ କରିଛନ୍ତି । ସବୁ ପକ୍ଷର ଦାବି ଶୁଣିବା ପରେ ଟ୍ରିବ୍ୟୁନାଲ ୪୦ରୁ ୪୫ଟି ଇସ୍ୟୁ ଫ୍ରେମ କରିଛନ୍ତି । ଆଜି ଟ୍ରିବ୍ୟୁନାଲରେ ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ ଓ ମହାରାଷ୍ଟ୍ର ପକ୍ଷରୁ ନିଜ ନିଜର ପକ୍ଷ ରଖିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି କିଛି ଅତିରିକ୍ତ ଡକ୍ୟୁମେଣ୍ଟ ଦାଖଲ କରାଯାଇଥିଲା । ଛତିଶଗଡ଼ କେନ୍ଦ୍ରଠୁ ଡକୁ୍ୟମେଣ୍ଟ ଚାହିଁବାରୁ ଟ୍ରିବ୍ୟୁନାଲ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନୋଟିସ ମଧ୍ୟ କରାଯାଇଛି । ଏହାଛଡ଼ା ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ ଲାଗି ମଧ୍ୟ ଟ୍ରିବ୍ୟୁନାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଶୁଣାଣିବେଳେ ଯଦି କିଛି ଇସ୍ୟୁ ଆସେ ତାହା ମଧ୍ୟ ଫ୍ରେମ କରାଯିବ । ଏଥିସହ ଆସନ୍ତା ଅଗଷ୍ଟ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ପ୍ରକାଶ ଯେ, ଗତ ଜାନୁଆରିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ୱାରା ୨୬ଟି ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରାଯାଇଥିଲା । ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ମଧ୍ୟ ୧୩ଟି ପ୍ରସଙ୍ଗ ନେଇ ଟ୍ରିବ୍ୟୁନାଲ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନ ବାଟ ବାହାର କରିବା ଲାଗି ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡ଼ିଲେ ଦୁଇ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଇପାରିବେ ବୋଲି ଟ୍ରିବ୍ୟୁନାଲ ମତ ଦେଇଥିଲେ । ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଦୁଇ ରାଜ୍ୟ ମଧ୍ୟରେ ବୈଠକ ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରିନଥିଲା । ବୈଠକର ଫଳାଫଳ ସମ୍ପର୍କରେ ଦୁଇ ରାଜ୍ୟ ଇ-ମେଲ ଯୋଗେ ଟ୍ରିବ୍ୟୁନାଲକୁ ସୂଚାଇଥିଲେ । ଶନିବାର ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଶୁଣାଣିରେ ଦୁଇ ରାଜ୍ୟମାନଙ୍କର ଦ୍ୱାରା ମୌଖିକ ଭାବେ ଟ୍ରିବ୍ୟୁନାଲକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ