କରୋନା କଟକଣା ସମୟରେ ମନ୍ଦିର ପ୍ରତିଷ୍ଠା, ୫୦୦ରୁ ଉର୍ଦ୍ଧ୍ୱ ଜନସମାଗମ, ନାଏବ ସରପଞ୍ଚଙ୍କ ସମେତ ୧୧ ଜଣ ଗିରଫ
ପୋଲସରା,(ଅନିଲ ମହାରଣା): ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜା.ଡେଙ୍ଗାପଦର ଗ୍ରାମ ପଞ୍ଚାୟତର ମର୍ଦ୍ଦରାଜ ପୁର ଗ୍ରାମରେ ପ୍ରଶାସନର କରୋନା ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ସରପଞ୍ଚ ଶ୍ରୀମତୀ ସୂର୍ଯ୍ୟ ଜେନାଙ୍କ ପୁଅ ତଥା ପଞ୍ଚାୟତ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଗତ ଜୁଲାଇ ୨ ତାରିଖ ଠାରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଗ୍ରାମରେ ୫୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସମାଗମ କରାଇ ଯଜ୍ଞ କାର୍ଯ୍ୟ ପରିଚାଳନା କରାଇବା ସହ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତଷ୍ଠା କରିଥିଲେ। କରୋନା ମହାମାରୀ ସମୟରେ ଜନସମାଗମକୁ ସେହି ଗ୍ରାମର ଯୁବକ ଆକୁଳ ସ୍ୱାଇଁ ପ୍ରତିବାଦ କରିବା ଯୋଗୁଁ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଓ ବଳରାମ ଜେନା ଦୁହେଁ ମିଶି ଆକୁଳ ସ୍ଵାଇଁଙ୍କୁ ମାଡ଼ ମାରି ମୁହଁ, ପିଠି, ହାତ, ଗୋଡ଼ କୁ ରକ୍ତାକ୍ତ କରିଥିଲେ। ଆକୁଳ ସ୍ୱାଇଁ ଏହି ଘଟଣା ନେଇ ଜୁଲାଇ ୭ ତାରିଖରେ କରିଥିବା ଅଭିଯୋଗକୁ ଭିତ୍ତି କରି ପୋଲସରା ଥାନା କେଶ ନମ୍ବର ୧୬୭/୨୦ ଧାରା ୩୪୧, ୨୯୪, ୩୨୩, 56, ଓ ୩୪ ଅନୁଯାୟୀ ଏକ ମାମଲା ରୁଜୁକରି ତଦନ୍ତ ଭାର ସବ୍ ଇନସ୍ପେକ୍ଟର କେଶବ ଷଡ଼ଙ୍ଗୀଙ୍କୁ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ନାଏବ ସରପଞ୍ଚଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଥିବା ଆଇଆଇସି ଜିତେନ୍ଦ୍ର କୁମାର ମଲିକ ପ୍ରକାଶ କରିଛନ୍ତି।


