ଏଲଏସିରେ ବଫର୍ ଜୋନ୍ ହୋଇନି, ପାଟ୍ରୋଲିଙ୍ଗ୍ ସ୍ଥଗିତ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ଭାରତ-ଚୀନ୍ ସୀମାର ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ବଫର୍ ଜୋନ୍ ହୋଇନାହିଁ। ସୀମାନ୍ତରେ ଉତ୍ତେଜନା ଓ ସଂଘର୍ଷ ହ୍ରାସ କରିବା ପାଇଁ ଚୀନ୍‌ ଓ ଭାରତର ସୈନିକମାନଙ୍କୁ ପଛକୁ ହଟାଇ କେବଳ ପାଟ୍ରୋଲିଙ୍ଗ୍ ସ୍ଥଗିତ ରଖାଯାଇଛି ବୋଲି ‌ସେ ସଂକ୍ରାନ୍ତରେ ଅବଗତ ଥିବା ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଆକ୍ରମଣାତ୍ମକ ଭଙ୍ଗୀରେ ଥିବା ପିପୁଲ୍‌ସ୍ ଲିବରେସନ୍ ଆର୍ମିର ସୈନିକମାନେ ମଧ୍ୟ ପଶ୍ଚିମ ସେକ୍ଟର୍‌ରେ ଥିବା ୧, ୫୯୭ କିଲୋମିଟର୍ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାଠାରୁ ପଛକୁ ହଟିଯାଇଛନ୍ତି। ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି ଯେ, ପିପୁଲ୍‌ସ୍ ଲିବରେସନ୍ ଆର୍ମିର ସୈନିକମାନେ ବିବାଦସ୍ଥଳ ଠାରୁ ୧. ୫ କିଲୋମିଟର୍ ଦୂରକୁ ଚାଲିଯାଇଛନ୍ତି। ତେଣୁ, ସାମରିକ ଅଧିକାରୀମାନେ କହିଛନ୍ତି, ସେଠାରେ ବଫର୍ ଜୋନ୍‌ ହୋଇଥିବା କଥା ଏ ଘଟଣା ସୂଚାଉ ନାହିଁ। ଜଣେ ବରିଷ୍ଠ ସାମରିକ ଅଧିକାରୀ କହିଛନ୍ତି, ଆମେ କେବଳ ଉଭୟ ପକ୍ଷଙ୍କୁ ପଛକୁ ହଟାଇ ନେଇଛୁ। ଫଳରେ କିଛି ଅଘଟଣ କିଂବା ସଂଘର୍ଷ ହେବ ନାହିଁ। ଏହାଛଡ଼ା, ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣିୟମ୍ ଜୟଶଙ୍କର ମଧ୍ୟ ଚୀନ୍ ସହ ଚାଲିଥିବା ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ପ୍ରଶମନ ପ୍ରକ୍ରିୟାକୁ ‘ଚଳନ୍ତି କାର୍ଯ୍ୟ’ ଭାବେ ବର୍ଣ୍ଣନା କରିଥିଲେ। ଅର୍ଥାତ୍ ପାରସ୍ପରିକ ବୁଝାମଣା ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି ମାତ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ