ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି, ୨ ମାସ ଅପେକ୍ଷା କର :ଅଧ୍ୟାପକ ସଂଘ
ଭୁବନେଶ୍ୱର, : ଅଖିଳ ଓଡ଼ିଶା ବେସରକାରୀ ଅନୁଦାନ, ଅଣଅନୁଦାନପ୍ରାପ୍ତ (+୨,+୩) ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମ·ରୀ ସଂଘ ତରଫରୁ ଆଜି ୪.୮.୨୦୧୯ ବନ୍ଧୁତ୍ୱ ଦିବସରେ ଦେବରାୟ ନୟାପଲ୍ଳୀ କଲେଜରେ ଏକ ଜରୁରୀ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡଃ ନବକିଶୋର ମିଶ୍ରଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଦେବରାୟ ନୟାପଲ୍ଲୀ କଲେଜର ଓଡ଼ିଶା ବେସରକାରୀ ଅନୁଦାନପ୍ରାପ୍ତ କଲେଜ କର୍ମ·ରୀ ସଂଘର ସଭାପତି ସଚିତ୍ର କୁମାର ପାତ୍ର ଦିଗ୍ଦର୍ଶକ ଭାବରେ ସମସ୍ତଙ୍କୁ ଉଦ୍ବୋଧନ ଦେଇ ସଂଗଠନକୁ ସୁଦୃଢ କରିବା ସହିତ ସରକାରଙ୍କ ସହିତ ବି ଉତ୍ତମ ବୁଝାମଣା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ସଭାରେ ଉପସ୍ଥିତ ସବୁ ଜିଲ୍ଲାର ସଭାପତି, ସମ୍ପାଦକଙ୍କ ସହିତ ବହୁ କର୍ମକର୍ତ୍ତା ଯୋଗ ଦେଇ ସଂଘର କାର୍ଯ୍ୟରେ କିପରି ଆମର ଦାବି ପୂରଣ ହୋଇପାରିବ, ସେଥିପାଇଁ ଉପଯୁକ୍ତ ମତାମତ ଦେଇଥିଲେ । ଅଧ୍ୟାପକ ଅଧ୍ୟାପିକାଙ୍କ ସୁଚିନ୍ତିତ ମତାମତରେ ଶିକ୍ଷାକୁ ଉନ୍ନତିରେ ଏକମାତ୍ର ମାଧ୍ୟମ ଭାବରେ ସମସ୍ତେ ଗ୍ରହଣ କରିବା ପାଇଁ ମତ ରଖିଥିଲେ । ସରକାରଙ୍କୁ ସବୁ ପ୍ରକାର ସହଯୋଗ ସହିତ ଶିକ୍ଷାର ମାନ ବୃଦ୍ଧି ପାଇଁ ଆମ୍ଭେମାନେ ପୁରା ସହଯୋଗ କରି କାମ କରିବା ପାଇଁ ବଦ୍ଧ ପରିକର ହେବାକୁ ସମସ୍ତେ ଶପଥ ନେଇଥିଲେ । କଲେଜର ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କ ଉନ୍ନତି ଆମର ପ୍ରାଥମିକତା ବୋଲି ସମସ୍ତେ ଏକ ସ୍ୱରରେ ଉଚ୍ଚାରଣ କରିଥିଲେ । ଏହାପରେ ସଂଘର ସାଧାରଣ ସମ୍ପାଦକ ଡଃ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଏଥିରେ ପ୍ରାୟ ସଂଘର ସବୁ ଜିଲ୍ଲାର ପ୍ରତିନିଧିଙ୍କ ସହିତ ବହୁ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ରାଜ୍ୟ ସଂଗଠକ ଶ୍ରୀଧର ବେହେରାଙ୍କ ପ୍ରତିନିଧିତ୍ୱରେ ସଂଘର ସାଧାରଣ ସମ୍ପାଦକ, ଆବାହକ, ଜଗତସିଂହପୁର ଜିଲ୍ଲା ସଭାପତି, ପୁରୀ ଜିଲ୍ଲା ସଭାପତ,ଖୋର୍ଦ୍ଧା ଜିଲ୍ଲା ସଭାପତିମାନେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ । ମନ୍ତ୍ରୀ ଦାବିପତ୍ର ପାଠ କରି କହିଥିଲେ ଯେ, ସରକାର ୨ ମାସର ହୋଇଛି, ଆଉ ୨ମାସ ତୁମକୁ ଅପେକ୍ଷା କରିବାକୁ ପଡ଼ିବ । ୨ ମାସ ଭିତରେ ତମର ପ୍ରାୟତଃ ସମସ୍ୟାର ସମାଧାନ ହୋଇଯିବ ବୋଲି ମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱସ୍ତ କରିଥିଲେ । ସରକାରଙ୍କର ସବୁ ବ୍ୟବସ୍ଥା ସଜାଡ଼ିବା ପରେ ତମ ମାନଙ୍କର କଥା ବୁଝାହେବ । ଏପରି ପ୍ରତିଶ୍ରୁତି ଦେଇ ସଂଘର କର୍ମକର୍ତ୍ତାମାନଙ୍କୁ ମନ୍ତ୍ରୀ ବିଦାୟ ଦେଇଥିଲେ । ଏଥିରେ ସଂଘର କର୍ମକର୍ତ୍ତାମାନେ ଆଶ୍ୱସ୍ତ ହୋଇଥିଲେ ।


