ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ନିୟମ
ନୂଆଦିଲ୍ଲୀ : କରୋନା ଭାଇରସ୍ କବଳରୁ ଯାତ୍ରୀଙ୍କୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁସାରେ, ଯାତ୍ରାର ଠିକ୍ ପୂର୍ବ ତିନି ସପ୍ତାହ ମଧ୍ୟରେ ଯାତ୍ରୀ ଜଣକ କରୋନା ପଜିଟିଭ୍ ନ ଥିବା ନେଇ ଏକ ସ୍ବ-ଘୋଷଣାନାମା କରିବାକୁ ହେବ। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ବିମାନ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମେ’ ୨୧ରେ ମନ୍ତ୍ରଣାଳୟ ଏଭଳି ଏକ ନିୟମ ଜାରି କରିଥିଲା । ଯେଉଁଥିରେ ବିମାନ ଯାତ୍ରୀ ଯାତ୍ରା ପୂର୍ବ ଦୁଇ ମାସରେ କରୋନା ପଜିଟିଭ୍ ନ ଥିବା ନିଜ ଆଡୁ ଘୋଷଣାନାମା କରିବେ ବୋଲି ମନ୍ତ୍ରଣାଳୟ ନିୟମ କରିଥିଲା । ତେବେ ଏହି ଘୋଷଣା ସମସ୍ତ ବିମାନ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିଲା । ନୂଆ ନିୟମରେ ଯଦି ଜଣେ ବ୍ୟକ୍ତି କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଥାନ୍ତି ଏବଂ ସେ ତିନି ସପ୍ତାହର ସେହି ମାନଦଣ୍ତ ପୂରଣ କରୁଥାନ୍ତି ତେବେ ଯାତ୍ରା ଅନୁମତି ଦିଆଯିବ । ତେବେ ତାଙ୍କୁ କୋଭିଡରୁ ଆରୋଗ୍ୟ ଲାଭ କରିଥିବା କିମ୍ବା ଡାକ୍ତରଖାନାରୁ ଚିକିତ୍ସାରୁ ମୁକ୍ତି ଲାଭ କରିଥିବା ସମ୍ପର୍କିତ ସାର୍ଟିଫିକେଟ୍ ଦେବାକୁ ହେବ । ସୂଚନାଯୋଗ୍ୟ ଦୀର୍ଘ ଦୁଇ ମାସ ପରେ ଭାରତ ମେ’ ୧୫ରେ ଘରୋଇ ଯାତ୍ରୀବାହୀ ବିମାଣ ଉଡାଣ ଆରମ୍ଭ କରିଥିଲା । ଏବେ ବି ଦେଶରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ ବାତିଲ କରାଯାଇଛି ।


